ଚାଷୀଙ୍କ ଦୁଃଖ କେବେ ଶୁଣିବେ ସରକାର: କ୍ଷତି ଅସହ୍ୟ ହେବାରୁ ଆନ୍ଦୋଳନକୁ ଓହ୍ଲାଇଲା କୃଷକ ସଂଗଠନ

ଭୁବନେଶ୍ବର: ସମୟ ସକାଳ ସାଢେ ଆଠଟା । କଡା ସୁରକ୍ଷା ବଳୟ ଭେଦି ପଶିଆସିଲା ନବନିର୍ମାଣ କୃଷକ ସଂଗଠନ । ପୋଲିସ କିଛି ବୁଝିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଗେଟରେ ଚଢିଗଲେ ଆନ୍ଦୋଳନକାରୀ । ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଚାଲିଲା ନାରାବାଜି । ଚାଷୀଙ୍କ ନାରାରେ କମ୍ପିଲା ଲୋୟର ପିଏମଜି । ରାଜ୍ୟର ଧାନମଣ୍ଡିରେ ଚାଲିଥିବା କଟନୀଛଟନୀ ପ୍ରତିବାଦରେ ରାଜ୍ୟ ସରକାରଙ୍କୁ ଘେରିଛି ନବନିର୍ମାଣ କୃଷକ ସଂଗଠନ । ସଂଗଠନର ଯୁବ ନେତା ମନଓ୍ବର ଅଲ୍ଲୀ ଏବଂ ଶେଷଦେବ ନନ୍ଦଙ୍କ ସମେତ ୨୫ ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ବିଭିନ୍ନ ଜିଲ୍ଲାରେ କୁଇଣ୍ଟାଲ ପ୍ରତି ୫ ରୁ ୨୦ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ହେଉଥିବା ଅଭିଯୋଗ କରି ଦୀର୍ଘ ୨୦ ଦିନ ହେବ ଅନଶନରେ ବସିଛନ୍ତି ସଂଗଠନର ଆବାହକ ଅକ୍ଷୟ କୁମାର । ତେବେ ଏହା କେବଳ ଟ୍ରେଲର, ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଲେ ଆଗକୁ ପୁରା ଫିଲ୍ମ ଦେଖିବେ ବୋଲି ଚେତାବନୀ ଦେଇଛି ସଂଗଠନ ।
କଟନୀ ଛଟନୀ ପାଇଁ ମିଲର ମାଲେମାଲ ହେଉଥିବା ବେଳେ କ୍ଷତି ସହୁଛନ୍ତି ଚାଷୀ । କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି । କିନ୍ତୁ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସଂଗଠନ ଅଭିଯୋଗ କରିଛି । ଏନେଇ ପୂର୍ବରୁ ଆନ୍ଦୋଳନ ଚେତାବନୀ ଦେବାରୁ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରାତି ଅଧିଆ ସଂଗଠନକୁ ଡାକି ଆଲୋଚନା କରିଥିଲେ । କଟନୀ ଛଟନୀ ହେବନି ବୋଲି ପ୍ରତିଶୃତି ଦେବା ସହ ଯେଉଁ ମିଲର ଏଭଳି କରିବେ ତାଙ୍କ ବିରୋଧ କାର୍ଯ୍ଯାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶୃତି ପାଳନ ନକରିବାରୁ ଅକ୍ଷୟ କୁମାର ଅନଶନ ଆରମ୍ଭ କରିବା ସହ ୮ ଦଫା ଦାବି ସମ୍ବଳିତ ଏକ ଖୋଲା ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ । ଏହାସହ ଚାଷୀଙ୍କୁ ସମସ୍ୟାର ସମାଧାନ ପାଇଁ କୃଷି, ଯୋଗାଣ, ସମବାୟ ଏବଂ ରାଜସ୍ବ ବିଭାଗର ମନ୍ତ୍ରୀ ସଚିବ ବୈଠକ କରି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସଂଗଠନ ଦାବି କରିଥିଲା । ଯାହାକୁ ସରକାର ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯାଇଥିବା ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ପୋଲିସ ।