ସେଓ ଏବଂ କମଳା ଉପରେ କାହିଁକି ଲଗାଯାଇଥାଏ ଷ୍ଟିକର ? ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ବଜାରରେ ଷ୍ଟିକର ଲଗାଯାଇଥିବା ସେଓ ଏବଂ କମଳା ମିଳୁଥିବା ଆପଣ ଦେଖିଥିବେ। ବ୍ୟବସାୟୀମାନେ ଏହି ଷ୍ଟିକର ଲଗାଯାଇଥିବା ଫଳକୁ ବିକ୍ରି କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏଥିରେ କାହିଁକି ଷ୍ଟିକର ଲଗାଯାଇଥାଏ । ଏହା ପଛର କାରଣ କ’ଣ ରହିଛି? ଷ୍ଟିକର ଲଗାଯାଇଥିବା ସେଓ ଏବଂ କମଳାକୁ ଅନେକ ଲୋକ ଭଲ କିମ୍ୱା ସର୍ବୋତ୍ତମ ବୋଲି ଭାବିଥାନ୍ତି। କିନ୍ତୁ ଏହାର ପ୍ରକୃତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଆପଣ ସେଓ କିମ୍ବା କମଳା ଉପରେ ୪ ଅଙ୍କ ବିଶିଷ୍ଟ ଷ୍ଟିକର୍ ଦେଖନ୍ତି, ତେବେ ଏହାକୁ କିଣିବା ପୂର୍ବରୁ ସତର୍କ ହୋଇଯାନ୍ତୁ। ଏହି ଷ୍ଟିକର ସଂଖ୍ୟାଗୁଡିକ ଯଦି ୪ ଅଙ୍କ ବିଶିଷ୍ଟ ହୋଇଥାଏ ଏବଂ ୪ରୁ ଆରମ୍ଭ ହୋଇଥାଏ, ଯେମିତି କି ୪୦୨୬ କିମ୍ବା ୪୮୯୧ ଇତ୍ୟାଦି । ତାହାର ଅର୍ଥ ହେଉଛି, ଏହି ଫଳଟିରେ କୀଟନାଶକ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଫଳକୁ ଉତ୍ପନ୍ନ କରାଯାଇଛି। ଏହି ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚିଥାଏ ।

ଯଦି କିଛି ଫଳରେ ଷ୍ଟିକରର ସଂଖ୍ୟା ୫ ଅଙ୍କ ବଶିଷ୍ଟ ଲେଖା ହୋଇଛି । ଏବଂ ଏହି ସଂଖ୍ୟାଗୁଡିକ ୮ ରୁ ଆରମ୍ଭ ହୁଏ, ଯେମିତି କି ୮୪୩୨୧ କିମ୍ବା ୮୭୯୨୧ ଇତ୍ୟାଦି। ତେବେ ଏହାର ଅର୍ଥ ହେଉଛି ଯେ, ଏହିପରି ଫଳଗୁଡିକ ଜେନେଟିକ୍ ରୂପାନ୍ତରିତ ହୋଇଛି । ଏହି ଫଳ ଗୁଡିକ ଜୈବିକ ନୁହେଁ । ଏହାର ଅର୍ଥ ଏହି ଫଳଗୁଡିକ ପ୍ରାକୃତିକ ନୁହେଁ । ଏଗୁଡିକୁ ଲ୍ୟାବରେ ବିକଶିତ କରାଯାଇଛି ।

ତେବେ କେଉଁ ଷ୍ଟିକର ଲଗାଯାଇଥିବା ସେଓ ବା ଫଳ ଆପଣ କିଣିବେ ଜାଣିରଖନ୍ତୁ । ୫ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥିବ ଏବଂ ଏହାର ଆରମ୍ଭ ୯ରୁ ହେଉଥିବ ଯେମିତିକି ୯୩୪୫୧ କିମ୍ୱା ୯୧୨୪୫ ଇତ୍ୟାଦି। ତେବେ ଏହାର ଅର୍ଥ ହେଉଛି, ତାହା ଶରୀର ପାଇଁ ସର୍ବୋତ୍ତମ ଫଳ ହୋଇଥାଏ । ଏହି ଫଳ ଗୁଡିକ ଜୈବିକ ଭାବେ ଉତ୍ପାଦିତ ହୋଇଛି।