ଜାଣନ୍ତୁ ଅର୍ଥନୈତିକ ସର୍ଭେ କ’ଣ ? କାହିଁକି ଆସେ ବଜେଟ୍ ପୂର୍ବରୁ ?
1 min read
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଫେବ୍ରୁଆରି ପହିଲାରେ ବଜେଟ୍ ଆଣିବେ କେନ୍ଦ୍ର ସରକାର। ଲୋକସଭାରେ ଏହି ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଆସିବା ପୂର୍ବରୁ ‘ଅର୍ଥନୈତିକ ସର୍ଭେ ରିପୋର୍ଟ’ ଉପସ୍ଥାପନ କରାଯିବ। ତେବେ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ ଜାଣନ୍ତୁ।
ବଜେଟ୍ ଆଣିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଥନୀତି ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ିଥାନ୍ତି। ବଜେଟର ରୂପରେଖ କ’ଣ ହେବ ଏବଂ କାହା ଉପରେ ଫୋକସ୍ ଦେଲେ ଭଲ ହେବ ସେ ବିଷୟରେ ଆଲୋଚନା କରିଥାନ୍ତି। ଅର୍ଥନୀତି ବିଶେଷଜ୍ଞ ଏବଂ ପରାମର୍ଶଦାତାଙ୍କ ମତାମତକୁ ଆଧାର କରି ଏକ ରିପୋର୍ଟ ତିଆରି କରାଯାଏ। ଏହାକୁ ‘ଅର୍ଥନୈତିକ ସର୍ଭେ ରିପୋର୍ଟ’ କୁହାଯାଏ।
ଏହି ରିପୋର୍ଟ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ତିଆରି କରିଥାନ୍ତି। ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିଥାନ୍ତି ଅର୍ଥମନ୍ତ୍ରୀ। ଜାନୁଆରି ୩୧ ଅର୍ଥାତ ଆସନ୍ତାକାଲି ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ଏହି ଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ପୂର୍ବ ବର୍ଷର ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହାସହ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର କେମିତି ରହିବ ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ।
ଏହାସହ ବଜେଟର ରୂପରେଖ କ’ଣ ହେବ ଏବଂ ସରକାର କେଉଁ ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ। ତେବେ ଚଳିତ ଅର୍ଥନୈତିକ ସର୍ଭେରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୯ପ୍ରତିଶତ ଗ୍ରୋଥ୍ ରେଟ୍ ଲକ୍ଷ୍ୟ ରଖାଯାଇଥିବା ଅନୁମାନ କରାଯାଉଛି ।
୧୯୫୦-୫୧ ଆର୍ଥିକ ବର୍ଷରୁ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପିତ ହୋଇ ଆସୁଛି। ୧୯୬୪ ମସିହା ଯାଏଁ ଏହା ବଜେଟ୍ ଆଗତ ଦିନ ହିଁ ଉପସ୍ଥାପିତ ହୋଇ ଆସୁଥିଲା। ୧୯୬୪ ମସିହା ପରଠୁ ଅର୍ଥନୈତିକ ସର୍ଭେ ରିପୋର୍ଟ ବଜେଟ୍ ଆଗତ ହେବାର ପୂର୍ବଦିନ ଲୋକସଭାରେ ଉପସ୍ଥାପିତ କରାଯାଉଛି।