ଚିନ୍ତାରେ ସାହାରା ଜମାକାରୀ; ଫେରିବ ନା ବୁଡିଯିବ ଟଙ୍କା ?

1 min read

ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି । ଅନେକ ଦିନ ଧରି ଅସୁସ୍ଥ ଥିବା ସୁବ୍ରତ  ମୁମ୍ୱାଇର ଏକ ହସ୍ପିଟାଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମହାରା ଗ୍ରୁପର ମୁଖିଆଙ୍କ ନିଧନ ପରେ ଏବେ ଚିନ୍ତାରେ ଲକ୍ଷ ଲକ୍ଷ ନିବେଶକାରୀ । ସମସ୍ତଙ୍କ ମନରେ ଖାଲି ଗୋଟିଏ ପ୍ରଶ୍ନ କି, ଏବେ ସେମାନଙ୍କ ସଞ୍ଚୟ ରାଶିର କ’ଣ ହେବ ? ଦୀର୍ଘଦିନ ଧରି ସେମାନେ ନିବେଶ କରିଥିବା ଟଙ୍କା କ’ଣ ବୁଡିଯିବ ନା ଫେରି ପାରିବେ ?

ଏବେ ନିବେଶକାରୀଙ୍କ ସହିତ କ’ଣ ହେବ ? 

ସୁବ୍ରତ ରାୟଙ୍କ ମୃତ୍ୟୁ ନିବେଶକାରୀଙ୍କୁ ଏକ ବଡ଼ ଝଟକା ଦେଇଛି । ସୂଚନା ଅନୁସାରେ, ସାହାରା ଗ୍ରୁପର ମୁଖ୍ୟଙ୍କ ପରଲୋକ ପରେ ରିଫଣ୍ଡର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ  । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସାହାରା କମ୍ପାନୀକୁ ନିବେଶକଙ୍କ ବୁଡିଯାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ଏକ ପୋର୍ଟାଲ ଲଞ୍ଚ କରିଥିଲେ , ଯାହା ସାହାଯ୍ୟରେ ନିବେଶକାରୀଙ୍କୁ ସେମାନଙ୍କ ବିନିଯୋଗ ଟଙ୍କା ଫେରସ୍ତ କରାଯାଉଛି ।

ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ ଜମା ଟଙ୍କା :

ସୁପ୍ରିମକୋର୍ଟ ୨୦୧୯ ମସିହାରେ ସାହାରା ନିବେଶକମାନଙ୍କ ସପକ୍ଷରେ ସାନ୍ତ୍ୱନାମୂଳକ ରାୟ ଘୋଷଣା କରିଥିଲେ ଏବଂ ସୁଧ ସହିତ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରୁ ପ୍ରାୟ ତିନି କୋଟି ନିବେଶକ ଉପକୃତ ହେବେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.in/ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ସାହାରା ନିବେଶକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉଛି।

କେମିତି ମିଳିବ ସହାରାରୁ ରିଫଣ୍ଡ ?

ସାହାରା ଗ୍ରୁପର ୪ଟି କେରେଟିଭ ସୋସାଇଟି ପାଖରେ ନିବେଶମାନଙ୍କ ଟଙ୍କା ଫସି ରହିଛି  । ହେଲେ ନିବେଶକମାନେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଆବେଦନ କରି ସେମାନଙ୍କର ଟଙ୍କା ଫେରସ୍ତ ପାଇପାରିବେ । ଫେରସ୍ତ ପାଇଁ, ନିବେଶକମାନଙ୍କୁ କେବଳ ଅନଲାଇନ୍ ମାଧ୍ୟମରେ  ଆବେଦନ କରିପାରିବେ ଏବଂ ସେଥିରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଏବଂ ରସିଦ ଅପଲୋଡ୍ କରିବାକୁ ପଡିବ  । ଯାଞ୍ଚ ପରେ, ନିବେଶକମାନେ ସେମାନଙ୍କର ଫେରସ୍ତ ପାଉଛନ୍ତି । ସରକାର ନିବେଶକମାନଙ୍କୁ କିସ୍ତିରେ ଟଙ୍କା ଫେରସ୍ତ କରୁଛନ୍ତି ଏବଂ  ଏହି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ଅଟେ  । ଯଦି ନିବେଶକ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେ ଟୋଲ୍ ଫ୍ରି ନମ୍ବର (1800 103 6891/1800 103 6893) ରେ ଯୋଗାଯୋଗ କରିପାରିବେ |