କୁସ୍ତି ସଂଘର ଅତିରିକ୍ତ ସଚିବଙ୍କୁ ନିଲମ୍ବନ କଲା ଖେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଏବଂ ଭାରତୀୟ କୁସ୍ତି ସଂଘ ବିବାଦରେ ଖେଳ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ଖେଳ ମନ୍ତ୍ରଣାଳୟ କୁସ୍ତି ସଂଘର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଛି । ତେବେ ବିନୋଦ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ପକ୍ଷରେ ବୟାନ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ଖେଳ ମନ୍ତ୍ରଣାଳୟର ନୋଟିସର ଜବାବ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ଦେଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ବିକ୍ଷୋଭ କରୁଥିବା ଖେଳାଳି ନିଜ ସ୍ୱାର୍ଥ ଓ ହିତ ପାଇଁ ରେସଲିଂ ସଂଘକୁ ବଦନାମ କରୁଛନ୍ତି । ବିରୋଧ ପଛରେ ସେମାନଙ୍କ ବ୍ୟକ୍ତିଗତ ଏଜେଣ୍ଡା ରହିଛି । ଭାରତୀୟ କୁସ୍ତି ସଂଘରେ ଅଧ୍ୟକ୍ଷ ବା ଅନ୍ୟ କେହି ମନମାନି କରିପାରିବେନି ।

ସଂଘ ନିୟମର ଉର୍ଦ୍ଧ୍ୱରେ କେହି ବି ନୁହନ୍ତି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ତିନିଦିନ ହେବ ଚାଲିଥିବା ଧାରଣା ଗତକାଲି ରାତି ୧ଟାରେ ଶେଷ ହୋଇଛି । ଏହି ନିଷ୍ପତ୍ତି ଖେଳ ମନ୍ତ୍ରୀ ଅନୁରାଗ ଠାକୁର ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ୭ ଘଣ୍ଟା ଲମ୍ବା ଆଲୋଚନା ପରେ ନିଆଯାଇଛି । ଅନୁରାଗ ଠାକୁର କହିଥିଲେ ଯେ ଏକ ଯାଞ୍ଚ କମିଟିର ଗଠନ କରାଯିବ । ଏହି କମିଟି ୪ ସପ୍ତାହ ମଧ୍ୟରେ ନିଜର ରିପୋର୍ଟ ଦାଖଲ କରିବ ।

ଏହି ୭ ଜଣିଆ କମିଟିରେ ଏମସି ମ୍ୟାରିକମ୍ ଏବଂ ଯୋଗେଶ୍ୱ ଦତ୍ତଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଏହି ପ୍ୟାନେଲର ତୀରନ୍ଦାଜ ଡୋଲା ବନାର୍ଜୀ ଏବଂ ଭାରତୀୟ ଭାରୋତ୍ତଳନ ମହାସଂଘର ଅଧ୍ଯକ୍ଷ ସହଦେବ ଯାଦବ ମଧ୍ୟ ସାମିଲ ଅଛନ୍ତି । ଏହି ନିଷ୍ପତ୍ତି ଆଇଓଏର କାର୍ଯ୍ୟକାରୀ ପରିଷଦର ଜରୁରୀକାଳୀନ ବୈଠକରେ ନିଆଯାଇଛି । ଏହି ବୈଠକରେ ଆଇଓଏ ଅଧ୍ୟକ୍ଷ ପିଟି ଉଷା ଏବଂ ସଂଯୁକ୍ତ ସଚିବ କଲ୍ୟାଣ ଚୌବେଙ୍କ ବ୍ୟତୀତ ଅଭିନବ ବିନ୍ଦ୍ରା ଏବଂ ଯୋଗେଶ୍ୱରଙ୍କ ଭଳି ଖେଳାଳି ସାମିଲ ହୋଇଥିଲେ ।