ଓଡ଼ିଶା ସୀମାରୁ ଆଳୁ ଟ୍ରକ ଫେରାଇ ନେଲେ ପଶ୍ଚିମବଙ୍ଗ ସରକାର

ଭୁବନେଶ୍ବର: ରାଜ୍ଯରେ ଆଳୁ ସଙ୍କଟ ଘନୀଭୂତ । ସାରା ରାଜ୍ଯରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ଯବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଧନୀ ହୁଆନ୍ତୁ ବା ଗରିବ ଆଳୁ ଦର ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ବଜାର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ହେଲେ ତାଜା ଖବର ଅନୁସାରେ, ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବାକୁ ଦେଉନାହାନ୍ତି । ଏପରିକି ଓଡ଼ିଶା ଆସିବାକୁ ସୀମାରେ ଅଟକି ଥିବା ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଛି । ସୋନାକଣିଆ ଚେକପୋଷ୍ଟ ନିକଟରୁ ଖଡ଼ଗପୁର ଟ୍ରାଫିକ ଆଡିସିନାଲ ଏସପି ଆଲୁ ଟ୍ରକଗୁଡିକୁ ଫେରାଇ ନେଇଥିବା ଜଣାପଡିଛି । ଫଳରେ ଆଳୁ ଦର କମିବା ଆଶା ଆଶାରେ ରହିଯାଇଛି ।

ରାଜ୍ୟ ସରକାର ବି ଆଲୁ ଦର ବୃଦ୍ଧିକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି । ଖାଉଟିଙ୍କୁ ଶୋଷଣ କରିବା ଭଳି ଚଢ଼ା ଦରରେ ଆଳୁ ବିକ୍ରି କଲେ କଡ଼ା କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ବର ପାତ୍ରପଡ଼ା ଓ ଆଇଗିଣିଆ ଆଳୁ ଗୋଦାମ ବୁଲି ସ୍ଥିତି ସମୀକ୍ଷା କରିବା ବେଳେ ଏପରି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ଆଳୁ ପାଇକାରୀ ଦର କେଜି ପ୍ରତି ୨୬ ଟଙ୍କା ଥିବା ବେଳେ ଅତି ବେଶିରେ ୩୦ରୁ ୩୨ ଟଙ୍କାରେ ବିକ୍ରି କରିବାକୁ  ମନ୍ତ୍ରୀ କହିଛନ୍ତି । ଆଗକୁ ସେ କହିଛନ୍ତି, ମୋ ପାଖରେ ଖବର ଅଛି, କେଉଁଠି ୫୦ ତ କେଉଁଠି ୬୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ । ଲାଭ ରଖନ୍ତୁ, କିନ୍ତୁ ଗ୍ରାହକଙ୍କୁ ଶୋଷଣ କଲେ କାର୍ଯ୍ଯାନୁଷ୍ଠାନ ହେବ । ପଶ୍ଚିମବଙ୍ଗରେ ଧର୍ମଘଟ ଯୋଗୁଁ ଆଳୁ ଆସିପାରୁନି । ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ଆଲୋଚନା କରାଯିବ ।