ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ପଟେ ଧାନକିଣା ଅବ୍ୟବସ୍ଥା, କଟନୀଛଟନୀ ଯୋଗୁଁ ଚାଷୀ ତଳିତଳାନ୍ତ ହେଉଥିବା ବେଳେ ଅନ୍ୟପଟେ ଦୁର୍ବଳ ମୌସୁମୀ ଚାଷୀଙ୍କୁ ଚିନ୍ତାରେ ପକାଇଛି I ଅକ୍ଷୟ ତୃତୀୟା ପରେ ଚାଷ ପାଇଁ ଅନୁକୂଳ ହୋଇଥାଏ I ଚାଷୀ କ୍ଷେତରେ ଧାନ ବୁଣି ବର୍ଷାକୁ ଚାହିଁ ରହିଛି । କିନ୍ତୁ ବର୍ଷା ଦୂରର କଥା ଆକାଶରୁ ମେଘ ହଜି ଯାଇଛି I ଜୁନ ମାସରେ ୧୮୯ ମିଲିମିଟର ସ୍ୱାଭାବିକ ବର୍ଷା ହେବା ବଦଳରେ ଏପର୍ଯ୍ୟନ୍ତ ମାତ୍ର ୨୫ ମିଲିମିଟର ବର୍ଷା ହୋଇଛି । ଫଳରେ ଗଜାମରୁଡି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଚାଷୀ I
ଆଷାଢ଼ରେ ଢୁ ଢୁ ଖରା । ହଜିଯାଇଛି ମୌସୁମୀ । ବର୍ଷା ଦୂରର କଥା ମେଘ ବି ଗାଏବ । ଧାନ ବୁଣି ଆକାଶକୁ ଚାହିଁ ରହିଛି ଚାଷୀ । ନିଅଣ୍ଟିଆ ବର୍ଷା ଗଜା ମରୁଡ଼ି ଆଣିବା ଆଶଂକା । ଚଳିତ ବର୍ଷ ବର୍ଷାରେ ବିଳମ୍ବ ହେଉଥିାବାରୁ ବଲାଙ୍ଗୀରରେ ଖରିଫ ଚାଷ ପଛେଇ ଯାଇଛି I ଚାଷୀ ବିଲରେ ହଳ କରିବା ସହ ଧାନ ବୁଣି ବର୍ଷା ପାଇଁ ଆକାଶକୁ ଅନାଇ ରହିଛି I ପ୍ରତି ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥାଏ I ହେଲେ ଜୁନ୍ ଶେଷ ହେଲାଣି I ବର୍ଷା ତ ଦୂର କଥା, ଆକାଶରେ ମେଘ ଦେଖୁବାକୁ ମିଳୁନାହିଁ I ଏଭଳି ପରିସ୍ଥିତିରେ ଜିଲ୍ଲାରେ ଖରିଫ ଚାଷ ପ୍ରଭାବିତ ହେବା ଆଶଂକା ଦେଖାଦେଇଛି । କରଜ କରି ଚାଷୀ ବିହନ ବୁଣି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ I
ଜୁନ୍ ଆରମ୍ଭରୁ ଧାନବୁଣା ସହ ତଳି ପକାଯାଇ ଜୁଲାଇ ଦ୍ବିତୀୟ ସପ୍ତାହରେ ପଲ୍ଲା ରୁଆ ଆରମ୍ଭ ହୁଏ । କିନ୍ତୁ ଚଳିତ ବର୍ଷ ପାଣି ଅଭାବରୁ ବିଲରେ ବୁଣାଯାଇଥିବା ଧାନ ଗଜା ବି ଧରିନି । ଚଳିତ ବର୍ଷ ଜୁନ୍ରେ ୧୮୯ ମିଲିମିଟର ସ୍ଵାଭାବିକ ବର୍ଷା ହେବା କଥା I ତେବେ କୃଷି ବିଭାଗ ସୂଚନା ଅନୁସାରେ ଜୁନ୍ ୨୭ ପର୍ଯ୍ୟନ୍ତ ମାତ୍ର ୨୫ ମିଲିମିଟର ବର୍ଷା ହୋଇଥିବା ବଲାଙ୍ଗୀର ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି I ୨୦୨୫ ଖରିଫ ଋତୁରେ ବଲାଙ୍ଗୀର ଜିଲ୍ଲାରେ ୧ ଲକ୍ଷ ୭୫ ହଜାର ୮୩୦ ହେକ୍ଟର ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା I ୧ ଲକ୍ଷ ୭୮ ହଜାର ୧୩୪ ହେକ୍ଟର ଧାନ ଚାଷ ହୋଇଥିଲା I ଚଳିତବର୍ଷ ବର୍ଷା ଅଭାବରୁ ଚାଷ ଆରମ୍ଭରେ ବିଳମ୍ବ ହୋଇଥିବା ବେଳେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରିନାହିଁ I ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଆସନ୍ତା ୧୫ ଦିନ ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ସେପଟେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ କୌଣସି ସହାୟତା ସହ ସଚେତନତା କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି ।

