ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ବଢିବ ତାପମାତ୍ରା
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ତାତି । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ମେଘମୁକ୍ତ ଆକାଶ ପାଇଁ ଆଜିଠୁ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ରାଜ୍ୟର ୧୧ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରିକରାଯାଇଛି । ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରାଯାଇଛି ।
ଏହାସହ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ସମ୍ବଲପୁର, ବରଗଡ ଏବଂ ଦେଓଗଡର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଟିଟିଲାଗଡ ଲଗାତର ଦୁଇଦିନ ହେବ ରାଜ୍ୟର ଉତ୍ତପ୍ତ ସହର ଭାବରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି ।