ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର :  ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ। ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଆଜିଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିଭଳି ଆସନ୍ତାକାଲି ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୭ ତାରିଖ ଗଣେଶ ପୂଜାରେ ମଧ୍ୟ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି। ଆଜି ସକାଳ ସମୟରେ ଟୁଇନ୍ ସିଟିରେ ପ୍ରବଳ ଖରା ଅନୁଭବ ହୋଇଥିଲେ ମଧ୍ୟ ସନ୍ଧ୍ୟାରେ ଘଡଘଡି ବିଜୁଳି ସହ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେଲେ ମଧ୍ୟ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।