କେରଳର ଓ୍ବାୟାନାଡରେ ଭୁସ୍ଖଳନ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ; ମାଟି ତଳେ ଫସି ରହିଛନ୍ତି ଶତାଧିକ

1 min read

ନନ୍ଦିଘୋଷ ବ୍ୟୁରାେ : କେରଳର ଓ୍ବାୟାନାଡ ଜିଲ୍ଲା ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି । ଏଥିରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୦୦ରୁ ଅଧିକ ମାଟି ତଳେ ଫସିରହିଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ପାଖାପାଖି ୪୦୦ ଘର ମାଟିରେ ପୋତି ଯାଇଥିବାରୁ ଅନେକ ପରିବାର ବେଘର ହୋଇଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ ଆଜି ଭୋର ସମୟରେ କେରଳର ଓ୍ବାୟାନାଡ ଜିଲ୍ଲାର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲା ।  ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ MI 17 ଓ ALH ହେଲିକପ୍ଟରକୁ ଘଟଣା ସ୍ଥଳକୁ ପଠାଯାଇଛି।  ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧା ସୃଷ୍ଟି ହେଉଛି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଯଥା ସମ୍ଭବ ସହାୟତା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏଥି ସହିତ ପିଏମଓ ଅଫିସରଙ୍କ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସହାୟତା କୋଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୂସ୍ଖଳନରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ ୧ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ ୪ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଲା।ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରିରହିଛି।

କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କହିଛି ଯେ, ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ କରାଯାଇଛି। ସିଏମଓ କହିଛନ୍ତି, ପ୍ରବଳ ବର୍ଷା ପରେ ୱାଏନାଡରେ ଭୂସ୍ଖଳନ ଘଟିଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି।