କଟକରେ ପଶିଲା ବନ୍ୟାଜଳ, ବୁଡିଲାଣି ଘଣ୍ଟେଶ୍ବରୀ

କଟକ: ସହର ଉପକଣ୍ଠରେ ପଶିଲା ବନ୍ୟାଜଳ । କହ୍ନେଇପୁର, ଭଦିମୂଳ, ଗତିରାଉତପାଟଣା ତଳି ଅଞ୍ଚଳରେ ମାଡ଼ିଗଲା ପାଣି । ଜନବସତିରେ ପଶିଛି ବଢିପାଣି । ଜଳବନ୍ଦୀ ଅବସ୍ଥାରେ ଶହଶହ ପରିବାର । ବେଳକୁ ବେଳ ପାଣି ବଢୁଥିବା ସହିତ ସମସ୍ୟା ଭୟ ବଢିବାରେ ଲାଗିଛି  ।

ସେହିପରି ଯାଜପୁର ଜିଲ୍ଲାରେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ସ୍ଥିତ କାଣୀ ନଦୀରେ ୧୫୦ ଫୁଟର ଘାଇ ଯୋଗୁଁ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି  । ଗାଁ ଗାଁରେ ପଶିଛି ପାଣି ।  ୩୦ରୁ ଅଧିକ ପଞ୍ଚାୟତକୁ ମାଡ଼ି ଯାଇିଛି ବନ୍ୟା ପାଣି  । ହଜାର ହଜାର ହେକ୍ଟର ଜମି ହୋଇଛି ଜଳମଗ୍ନ  ।

ବୈତରଣୀ ଓ ସାଳନ୍ଦୀ ନଦୀରେ ବି ବନ୍ୟା ପରିସ୍ଥିତି ଜଟିଳ । କୂଳ ଲଙ୍ଘି ଜନବସତିକୁ ମାଡୁଛି ବନ୍ୟାଜଳ । ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଓ ଆରଡି ତଳିଆ ଅଞ୍ଚଳରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ୪ଟି ପଞ୍ଚାୟତର ୨୦ଟି ଗାଁ ଏବେ ପାଣି ଘେରରେ ରହିଛି । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ୨ଦିନ ହେବ ଆଣ୍ଠୁଏ  ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ଯାପାଣି। ଫଳରେ ନଦୀକୂଳିଆଙ୍କ ଯାତାୟତରେ ଡଙ୍ଗା ସାହାଭରଷା ସାଜିଛି।

ସେପଟେ ସମ୍ବଲପୁରର ମା ଘଣ୍ଟେଶ୍ବରୀ ମନ୍ଦିରରେ ପାଣି ପଶିଛି । ଜଳବନ୍ଦୀ ହୋଇଛି ଘଣ୍ଟେଶ୍ବରୀ ମନ୍ଦିର  । ବନ୍ୟାପାଣି ଘେରରେ ରହିଥିବାରୁ ଦର୍ଶନ ବାଧାପ୍ରାପ୍ତ ହୋଇଛି । ହୀରାକୁଦର ଗେଟ୍ ଖୋଲାଥିବାବେଳେ ଜଳସ୍ତର ବଢି ମନ୍ଦିରକୁ ପଶିବା ସହ ମନ୍ଦିର ଜଳମଗ୍ନ ହୋଇଛି  । ତେବେ ମନ୍ଦିର ନୀତିକାନ୍ତିରେ ବର୍ତ୍ତମାନ ସୁଦ୍ଧା ସମସ୍ୟା ସୃଷ୍ଟି ହୋଇନଥିବାବେଳେ ଆଗକୁ ଆହୁରି ବର୍ଷା ହେଲେ କି ଗେଟ୍ ଖୋଲିଲେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପୂଜକ କହିଛନ୍ତି ।