ବିନା ବିଜୁଳି ଓ ଗ୍ୟାସରେ ଗରମ ହେବ ପାଣି: ଶୀତରେ ଆପଣାନ୍ତୁ ସହଜ ତରିକା

Solar Water heater

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ସାଧାରଣ ଭାବେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ଗରମ ଜିନିଷ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଶୀତରେ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବାର କଷ୍ଟ କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରିବେ । ତେବେ ଆପଣମାନେ ଯଦି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବିନା ବିଜୁଳି ଓ ଗ୍ୟାସରେ ଆପଣମାନେ ନିଜ ଘରେ ପାଣି ଗରମ କରିପାରିବେ ।

ଗରମ ପାଣି ପାଇଁ ଅଧିକାଂଶ ଘରମାନଙ୍କରେ ଗୀଜର ବ୍ୟବହାର କରାଯାଇଥାଏ । ମାତ୍ର ଗୀଜର ଚଲାଇବାକୁ ହେଲେ ବିଦ୍ୟୁତ ଓ ଗ୍ୟାସର ଆବଶ୍ୟକତା ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସୋଲାର ଓ୍ବାଟର ହୀଟର ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରି ଆପଣମାନେ ସହଜରେ ମାଗଣାରେ ପାଣି ଗରମ କରିପାରିବେ । ସୌର ରଶ୍ମି ଦ୍ବାରା ସୋଲାର ଓ୍ବାଟର ହୀଟର କାମ କରିଥାଏ । ଏଥିରେ ଆପଣଙ୍କୁ ବିଜୁଳି ଓ ଗ୍ୟାସ ଆଦିର ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସୋଲାର ଓ୍ବାଟର ହୀଟର ମୁଖ୍ୟତଃ ଦୁଇଟି କମ୍ପୋନେଟରେ କାମ କରିଥାଏ । ସେଥିରେ ଗୋଟିଏ ସୋଲାର କଲେକ୍ଟର ଓ ଅନ୍ୟଟି ଷ୍ଟୋରେଜ ଟ୍ୟାଙ୍କ ରହିଥାଏ । ସୋଲାର କଲେକ୍ଟର୍ସରେ ପ୍ୟାନେଲ୍ସ ବା ଟ୍ୟୁବ ରହିଥାଏ, ଯାହାକି ଲାଇଟକୁ ଗ୍ରହଣ କରିଥାଏ ଓ ତାହାକୁ ହିଟରେ ରୂପାନ୍ତରିତ କରିଥାଏ । ଏହାପରେ ପାଣିକୁ ଗରମ କରିଥାଏ ।

ସୋଲାର ଓ୍ବାଟର ହୀଟର ଭିତରେ ଷ୍ଟୋରେଜ ଟ୍ୟାଙ୍କ ପାଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରଖିଥାଏ । ଏପରି ସ୍ଥିତିରେ ଆପଣମାନେ ଏହାକୁ ଯେ କୌଣସି ସମୟରେ ବ୍ୟବହାର କରିପାରିବେ । ଇଲେକ୍ଟ୍ରିକ ଗୀଜର ତୁଳନାରେ ସୋଲାର ଓ୍ବାଟର ହୀଟର ଦାମ୍ ଅଧିକ ହୋଇଥାଏ । ସୋଲାର ଓ୍ବାଟର ହୀଟରର ଦାମ୍ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ବଡ଼ ଘର ଓ ଏକାଧିକ ଓ୍ବାଶରୁମ ଥିବା ଲୋକମାନେ ସୋଲାର ଓ୍ବାଟର ହୀଟରର ଅଧିକ ଫାଇଦା ଉଠାଇ ପାରିବେ । ଏହା ମାଧ୍ୟମରେ ସମସ୍ତ ବାଥରୁମ ପର୍ଯ୍ୟନ୍ତ ଗରମ ପାଣି ପହଞ୍ଚି ପାରିଥାଏ ।