spot_img

Latest Posts

ବନ୍ୟା-ନିଅଣ୍ଟିଆ ବର୍ଷାରେ ଦୁଇ ଚିତ୍ର: ଉପକୂଳରେ ଜଳପ୍ରଳୟ, ଦକ୍ଷିଣରେ ଜଳଭଣ୍ଡାର ଖାଲି

ନନ୍ଦିଘୋଷ ବ୍ୟୁରୋ : ଗ୍ଲୋବାଲ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ସୁପର ଏଲ୍‌ନିନୋର ପ୍ରଭାବ। ଉପକୂଳ ଓଡ଼ିଶାରେ ଲଗାତାର ବନ୍ୟା ଯୋଗୁଁ ୧୦ ଜିଲ୍ଲାରେ ଜଳପ୍ରଳୟ। ପଛକୁ ପଛ ବନ୍ୟା ସ୍ଥିତି। ହେଲେ ଦକ୍ଷିଣ ଓଡ଼ିଶାରେ ଚିତ୍ର ଓଲଟା। ମାଲକାନାଗିରି, କୋରାପୁଟ ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜଳଭଣ୍ଡାର ଖାଲି। ଏହାର ପ୍ରଭାବରେ ବାଧାପ୍ରାପ୍ତ ହୋଇଛି ଜଳ ବିଦ୍ୟୁତ ଉତ୍ପାଦନ। ଅନୁଗୁଳର ରେଙ୍ଗାଲି ୨୫୦ ମେଗାୱାଟ୍ ପ୍ରକଳ୍ପରୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ମାଲକାନାଗିରି ଜିଲ୍ଲା ବାଲିମେଳାରେ ଥିବା ୫୧୦ ମେଗାୱାଟ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଅପର କୋଲାବ ୩୨୦ ମେଗାୱାଟ୍ ଓ କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ୬୦୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ହୀରାକୁଦର ୨୮୮ ମେଗାୱାଟ୍ ପ୍ରକଳ୍ପରୁ ମଧ୍ୟ ବିଜୁଳି ଉତ୍ପାଦନ ବନ୍ଦ ରହିଛି। ଜଳ ଅଭାବ ଯୋଗୁଁ ଏହି ସବୁ ପ୍ରକଳ୍ପରେ ଉତ୍ପାଦନ ପ୍ରଭାବିତ ହୋଇଛି। ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ଅସନ୍ତୁଳନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ମଧ୍ୟ ଏହି ସମସ୍ୟା ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ଏକମାତ୍ର ସମାଧାନ ହେଉଛି ବର୍ଷା ଦିନେ ଜଳ ସଂରକ୍ଷଣ କରି ରଖିବା। ଭୂତଳ ଜଳ ଉପରେ ନିୟନ୍ତ୍ରଣ ସହ ବର୍ଷାଜଳ ଅମଳ ପ୍ରକଳ୍ପକୁ ବାଧ୍ୟତାମୂଳକ କରାଯିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ, ବିଶେଷକରି ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନଥିବା ବେଳେ ସରକାରଙ୍କ ପକ୍ଷରୁ ରିଲିଫ୍ ପ୍ୟାକେଜ୍ ଦିଆଯାଉଛି। ହେଲେ ଦକ୍ଷିଣ ଓଡ଼ିଶାରେ ଜଳ ଅଭାବ ମଧ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଜଳଭଣ୍ଡାରରେ ପାଣି ନଥିବାରୁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବର୍ଷା ଦିନେ ଅତିରିକ୍ତ ଜଳ ସମୁଦ୍ରକୁ ବହିଯାଉଥିବାରୁ ଏହାକୁ ସଂରକ୍ଷଣ କରିବା ନେଇ ଯୋଜନା କରାଯାଉଛି। ଏନେଇ ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ନଦୀର ଉତ୍ପତ୍ତିସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଜମି ରହିଥିବା ପଟୁମାଟି ଓ ବାଲିକୁ କାଢ଼ି ଜଳ ପ୍ରବାହକୁ ବ୍ୟାପକ କରାଯିବ। ଏହା ସହ ନଦୀ କୂଳେ କୂଳେ ଜଳଭଣ୍ଡାର ନିର୍ମାଣ କରାଯାଇ ଖରାଦିନ ପାଇଁ ପାଣି ସଂରକ୍ଷଣ କରିବାକୁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Latest Posts

Don't Miss