ଆକ୍ରମ ସହି ପାରିଲେନି ବିରାଟ-ବାବରଙ୍କ ବନ୍ଧୁତ୍ବ, ଲାଇଭ ଶୋ’ରେ ବିଳି ବିଳେଇ ହେଲେ

1 min read

ନୂଆଦିଲ୍ଲୀ: ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ୭ ଓ୍ବିକେଟରେ ପାକିସ୍ତାନକୁ ହରାଇ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଅପରାଜୟ ଧାରା ବଜାଇ ରଖିଛି । ମ୍ୟାଚରେ ପାକିସ୍ତାନ ମାତ୍ର ୧୯୧ ରନ୍ କରି ଅଲ୍ ଆଉଟ ହୋଇ ଯାଇଥିଲା । ତେବେ ମ୍ୟାଚ ପରେ ଷ୍ଟାଡିୟମରେ ଥାଇ ଦର୍ଶକ ଦେଖିଥିଲେ ଏକ ନିଆରା ଦୃଶ୍ୟ । ଖେଳ ଶେଷ ପରେ ପାକିସ୍ତାନ ଅଧିନୟକ ବାବର ଆଜମ ବିରାଟଙ୍କ ପାଖରୁ ତାଙ୍କ ଅଟୋଗ୍ରାଫ ଥିବା ଟି-ସାର୍ଟ ନେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ କ୍ରିକେଟର ଓ୍ବାସୀମ ଆକ୍ରମ ବିଗିଡ଼ିଙ୍କ ମୁଣ୍ଡ ବୁଲାଇ ପକାଇଛି । ଆଉ ଲାଇଭ ଶୋ’ରେ ବସି ବିଳିବିଳେଇ ହେବା ସହ ବାବରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ।

ବିରାଟ ଓ ବାବରଙ୍କ ମଧ୍ୟରେ କଥାବାର୍ତ୍ତା ଓ ବିରାଟ ସାର୍ଟ ଦେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ପ୍ରଶଂସା କରୁଛନ୍ତି । ହେଲେ ଆକ୍ରମଙ୍କୁ ବିରାଟ ଓ ବାବରଙ୍କ ଏହି ବନ୍ଧୁତ୍ବ ପସନ୍ଦ ଆସିନାହିଁ । ଏଥିପାଇଁ ଲାଇଭ୍ ଶୋ’ରେ ଆକ୍ରମ ବାବରଙ୍କ କ୍ଲାସ ନେଇଛନ୍ତି । ଏସବୁ ଗ୍ରାଉଣ୍ଡରେ କରିବାର ନଥିଲା ବୋଲି କହିଛନ୍ତି ଆକ୍ରମ ।

ଟିଭି ଶୋ’ରେ ଜଣେ କ୍ରିକେଟ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆକ୍ରମ କହିଛନ୍ତି, ‘ମୁଁ ଏହି ସମୟର ଫଟୋ ଦେଖିବା ପରେ କହିଥିଲି, ଆଜି ଏମିତି କରିବାର ଦିନ ନଥିଲା । ଯଦି ଆପଣଙ୍କ ଦାଦାଙ୍କ ପୁଅ କୋହଲିଙ୍କ ସାର୍ଟ ଆଣିବାକୁ କହିଛନ୍ତି, ତେବେ ଆପଣ ଡ୍ରେସିଂ ରୁମକୁ ଯାଇ ଏହାକୁ ଆଣିପାରିଥାନ୍ତେ ।’

ସୂଚନାଯୋଗ୍ୟ, ବିରାଟ ଓ ବାବରଙ୍କ ମଧ୍ୟରେ ଏହି ବନ୍ଧୁତ୍ବ କହୁଛି, କ୍ରିକେଟ ସବୁ ସୀମାରୁ ଉପରେ । ବିରାଟ ଯେତେବେଳେ ଖରାପ ଫର୍ମରେ ଥିଲେ ସେ ସମୟରେ ବାବର ଖୋଲାଖୋଲି ତାଙ୍କ ସମର୍ଥନରେ ବାହାରିଥିଲେ । ବାବର ଉଭୟଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏ ସମୟ ବି ଚାଲିଯିବ ।’ ବାବରଙ୍କ ପୋଷ୍ଟର କିଛିଦିନ ପରେ କୋହଲି ଫର୍ମକୁ ଫେରିଥିଲେ । ୨୦୨୩ ଏସିଆ କପ୍ ସମୟରେ ମଧ୍ୟ କ୍ରିକେଟ ପ୍ରେମୀ ଉଭୟଙ୍କ ବନ୍ଧୁତ୍ବ ଦେଖିଥିଲେ ।