ଚାନ୍ଦା ଆଦାୟ କରି ଆସିଛନ୍ତି ଓଡ଼ିଶା, ଖେଳିବେ ବିଶ୍ୱକପ୍ ହକି

ରାଉରକେଲା: ହକି ହେଉ କି ଫୁଟବଲ । ସବୁଖେଳରେ ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବା ହିଁ ବଡ଼ କଥା । ଏଥିପାଇଁ କ୍ୱାଲିଫାଏ କରିବା କାଠିକର ପାଠ ହୋଇଥାଏ । ଚଳିତ ହକି ବିଶ୍ୱକପର ଆୟୋଜକ ହେଉଛି ଓଡ଼ିଶା । ଏହି ବିଶ୍ୱକପରେ ବିଶ୍ୱର ନାମିଦାମୀ ଟିମ୍ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ଟିମଙ୍କ ଭିତରେ ଏଭଳି ଗୋଟିଏ ଟିମ୍ ଅଛି ଯାହାର ଖେଳାଳୀଙ୍କୁ ଟିମରେ ସାମିଲ ହେବାକୁ ବର୍ଷକୁ ଏକ ହଜାର ପାଉଣ୍ଡ୍ ଦେବାକୁ ପଡି଼ଥାଏ । ଅଲଗା ଦେଶର ଜାତୀୟ ଟିମରେ ସାମିଲ ହୋଇଥିବା ଖେଳାଳୀଙ୍କୁ ଅର୍ଥ ମିଳେ କିନ୍ତୁ ଏହି ଦେଶର ଟିମ୍ ନିଜ ଦେଶ ପାଇଁ ଖେଳିବା ଲାଗି ଦିଅନ୍ତି ଟଙ୍କା । ଏବେ ଆପଣ ସେହି ଦେଶର ନାମ ଜାଣିବାକୁ ଚାହୁଁଥିବେ । ଦେଶର ନାମ ହେଉଛି ୱେଲସ୍ ।

ୱେଲସ ଟିମ୍ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ଖେଳୁଛି । ୱେଲସରେ ହକି ବିଶେଷ ଜଣାଶୁଣା ନୁହେଁ । ତେଣୁ ହକି ଟିମକୁ ସ୍ପନସର ମଧ୍ୟ ମିଳିନାହାନ୍ତି । ଆଗରୁ ତ’ ଶୁଣିଛନ୍ତି ଯେ, ଟିମର ପ୍ରତ୍ୟକ ଖେଳାଳୀ ବାର୍ଷିକ ଦଳ ପାଇଁ ଖେଳିବା ଲାଗି ଏକ ହଜାର ପାଉଣ୍ଡ୍ ଦିଅନ୍ତି ।

ଓଡ଼ିଶାରେ ୱେଲସ ଟିମ୍ ପହଂଚିବା ପାଇଁ କମ ପରିଶ୍ରମ କରିନାହିଁ । ୱେଲସ ସରକାର ଦେଇଥିବା ଟଙ୍କାରେ ଓଡ଼ିଶା ଆସିବା ଓ ରହିବା ସମ୍ଭବ ନଥିଲା । ତେଣୁ ଟିମ୍ କ୍ରାଉଡ୍ ଫଣ୍ଡିଂର ସାହାରା ନେଇଥିଲା । ସୋସିଆଲ ମିଡିଆରେ ଟିମକୁ ଆର୍ଥିକ ସାହର୍ଯ୍ୟ କରିବା ପାଇଁ ଅପିଲ କରାଯାଇଥିଲା । ଯାହାର ଉତ୍ତର ୱେଲସବାସୀ ହୃଦୟ ଖୋଲା ସାହାଯ୍ୟ କରି ଦେଇଥିଲେ। କ୍ରାଉଡ୍ ଫଣ୍ଡିଂ ଜରିଆରେ ଟିମ୍ ମୋଟ ୨୫ ହଜାର ପାଉଣ୍ଡ୍ ପାଇଥିଲା । ସେହି ଟଙ୍କାରେ ଟିମ୍ ଓଡ଼ିଶା ଆସିଛନ୍ତି ଖେଳିବା ପାଇଁ ।

ୱେଲସ ଟିମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଦେଖି ଚକିତ । କାରଣ ସେମାନଙ୍କ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମରେ ସିଟ୍ ସଂଖ୍ୟା ହେଉଛି ମାତ୍ର ୨ଶହ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୧ ହଜାର ଦର୍ଶକଙ୍କ ଗହଣରେ ଖେଳିବା ଅଲଗା ଅନୁଭୁତି ହେବ ବୋଲି କହିଛନ୍ତି ୱେଲ୍ସର ମୁଖ୍ୟ କୋଚ୍ ଡେନିୟଲ ନ୍ୟୁକାମ୍ୱ ।