ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥ ଭୋଟ ସ୍ଥଗିତ
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ସ୍ଥଗିତ । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ଯ ଅବସ୍ଥା ଖରାପ ଥିବାରୁ ଏହାକୁ ଆଜି ସ୍ଥଗିତ ରଖାଯାଇଛି ।
ବିଜେପି ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କାଉନସିଲରମାନେ । ଏହାକୁ ନେଇ ଆଜି ଭୋଟ କରିବାକୁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଦିନ ୧୧ଟାରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ଅଧକାରୀ ଭାବେ ଦାୟିତ୍ଵ ଦିଆଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ନିୟମ ମୁତାବକ ସମସ୍ତ କାଉନସିଲର ମଧ୍ୟ ଉପସ୍ଥିତ ହୋଇଥିଲେ । ହେଲେ ଗୋଟିଏ ଫୋନ କଲ ପରେ ଏହାକୁ ସ୍ଥଗିତ ରଖାଯାଇଛି । ଜିଲ୍ଲାପାଳଙ୍କୁ ଫୋନ ଆସିଥିଲା ଯେ, ନିର୍ବାଚନ ଅଧିକାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏହାପରେ ଅନାସ୍ଥା ଭୋଟିଂକୁ ସ୍ଥଗତି ରଖାଯାଇଛି ।
ତେବେ ଏହାକୁ ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷଙ୍କୁ ବଞ୍ଚାଇବାକୁ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଭଣ୍ଡୁର କରିବାକୁ ଚକ୍ରାନ୍ତ ହୋଇଥିବା କହି ଆଜି ଭୋଟ କରିବାକୁ ଅଡି ବସିଛନ୍ତି କାଉନସିଲରମାନେ । ଜୁନାଗଡ଼ ଏନଏସିରେ ୧୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୦ ଜଣ କାଉନସିଲର ବିଜେଡ଼ିର । ବିଜେପିର ୨ ଜଣ କାଉନସିଲର ଅଛନ୍ତି ।