ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଜ୍ର ଘୋଷଣା, ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଚାଲିବ ଲଢେଇ

1 min read

କିଭ୍: ମରିବୁ ପଛେ ନଇଁବୁ ନାହିଁ । ଜୀବନ ଥିବା ଯାଏ ଲଢିବୁ । ବ୍ରିଟେନ ସାଂସଦଙ୍କ ଉଦ୍ଦେଶ୍ୟରେ ଏମିତି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହାସହ ସେ ତତକାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନସନ ଚର୍ଚ୍ଚିଲଙ୍କ ନାଁ ନେଇ ସଂଗ୍ରାମ ତୀବ୍ରତର କରିବା ଲାଗି ଘୋଷଣା କରିଛନ୍ତି । ଦିନକୁ ଦିନ ୟୁକ୍ରେନ ଉପରେ ଋଷର ଆକ୍ରମଣ ଶକ୍ତିଶାଳୀ ହେବା ସହ ଗୋଟିଏ ପରେ ଗୋଟିଏ ସହର ହାତଛଡା ହେଉଥିବା ସତ୍ତ୍ୱେ ଜେଲେନସ୍କି ଏହି ବଜ୍ର ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶମାତୃକାର ରକ୍ଷା ଲାଗି ଜଳ, ସ୍ଥଳ, ଆକାଶ, ଜଙ୍ଗଲ, ଉପକୂଳ, ଗଳିକନ୍ଦିରେ ଋଷ ବିରୋଧରେ ଲଢେଇ ଜାରି ରହିବ ।

୧୯୪୦ ଜୁନରେ ହାଉସ ଅଫ କମନସରେ ନାଜି ଜର୍ମାନର ଆକ୍ରମଣ ବିରୋଧରେ ଚର୍ଚ୍ଚିଲ ଯେଉଁ ଐତିହାସିକ ଭାଷଣ ଦେଇଥିଲେ, ତାହାର ଅବତାରଣା କରି ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲେ ଜେଲେନସ୍କି । ଏକ ମିଲିଟାରୀ ଟି-ସାର୍ଟ ପିନ୍ଧି ଜେଲେନସ୍କି ନିଜ ଦେଶର ପତାକା ନିକଟରେ ବସି ଏହି ଉଦବୋଧନ ଦେବା ସହ ବିଶ୍ୱ ବିଖ୍ୟାତ କବି ଓ୍ୱିଲିୟମ ସେକ୍ସପିୟରଙ୍କ ବାର୍ତ୍ତା ମଧ୍ୟ ଅବତାରଣା କରିଥିଲେ । ବ୍ରିଟେନ ଇତିହାସରେ ବି ପ୍ରଥମ ଥର ଲାଗି ହାଉସ ଅଫ କମନସରେ ଜଣେ ବିଦେଶୀ ନେତାଙ୍କ ଭାଷଣ ଶୁଣିଥିଲେ ସାଂସଦ ।

ଋଷ ବିରୋଧରେ ଲଢେଇ ଲାଗି ସହଯୋଗ କରିଥିବାରୁ ସେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଯଦିଓ ଧନ୍ୟବାଦ ଦେଇଥିଲେ ତଥାପି ନାଟୋର ମନମାନିକୁ ନିନ୍ଦା କରିଥିଲେ । ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ ଘୋଷଣା ନ କରିବା ପ୍ରସଙ୍ଗରେ ସେ ନାଟୋ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ରିଟେନର ଶହ ଶହ ବର୍ଷର ଗଣତାନ୍ତ୍ରିକ ପରମ୍ପରାରେ ଜେଲେନସ୍କିଙ୍କ ଉଦବୋଧନ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେପଟେ ଦୁଇ ବିଭାଜିତ ଅଞ୍ଚଳ ଲୁହାନସ୍କ ଓ ଦୋନେସ୍କକୁ ୟୁକ୍ରେନ ସ୍ବୀକୃତି ଦେବା ନେଇ ଚିନ୍ତା କରୁଛନ୍ତି ଜେଲେନସ୍କି । ଦିନକୁ ଦିନ ବେସାହାରା ହୋଇପଡୁଥିବା ଜେଲେନସ୍କି ଏହି ଦୁଇ ସ୍ବାଧୀନ ଅଞ୍ଚଳକୁ ନେଇ ଅଧିକ ବୋଝ ନେବାକୁ ଚାହୁଁ ନଥିବା ସୂଚନା ମିଳିଛି ।