ୟାସିନ ମଲିକଙ୍କୁ ଦଣ୍ଡାଦେଶ ପରେ ଅଶାନ୍ତ କାଶ୍ମୀର, ଶ୍ରୀନଗରର କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଲକଡାଉନ

1 min read

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ୟାସିନ ମଲିକଙ୍କୁ ଦଣ୍ଡାଦେଶ ପରେ ଅଶାନ୍ତ ହୋଇପଡିଛି କାଶ୍ମୀର । ୟାସିନ ମଲ୍ଲିକ ଘର ଆଗରେ ଥିବା ସୁରକ୍ଷା କର୍ମୀଙ୍କୁ ସ୍ଥାନୀୟ ଲୋକ ପଥରମାଡ଼ କରିଛନ୍ତି । ସ୍ଥିତି ଏମିତି ହେଲା ଯେ ଶେଷରେ ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରି ଭିଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ୟାସିନଙ୍କ ସମର୍ଥକ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଆଶଙ୍କାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ବେଳେ ପୂରା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ଶ୍ରୀନଗରରେ କିଛି ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି । କାଶ୍ମୀରର ସମସ୍ତ ସେନା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି NIA ସ୍ପେଶାଲ କୋର୍ଟ । ମେ’ ୧୯ରେ କୋର୍ଟ ୟାସିନ ମଲିକକୁ ୧୦ରୁ ଅଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହିତ ତାକୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।