ଋଷରେ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ ଋଷ ରାଷ୍ଟ୍ରପତି ଭେବେ ନିର୍ବାଚିତ। ୨୦୦ ବର୍ଷ ଇତିହାସରେ ହୋଇଛନ୍ତି ସର୍ବାଧିକ କାଳ କ୍ଷମତାସୀନ ରାଷ୍ଟ୍ରପତି। ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପ୍ରାୟ ୮୮ ପ୍ରତିଶତ ଭୋଟ ହାସଲ କରିଛନ୍ତି ପୁଟିନ। କମ୍ଯୁନିଷ୍ଟ ଦଳ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ଭାଗ ନେଇଥିଲେ ଅଧିକାଂଶ ଋଷ ନାଗରିକ। ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲା ଋଷ।
ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭଙ୍କ ପରାଜୟ ଘଟିଛି। ନିର୍ବାଚନକୁ ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଭ୍ଲାଦିମିର ପୁଟିନ ବଞ୍ଚିଥିବା ଯାଏ ରାଷ୍ଟ୍ରପତି ରହିବାକୁ ଚାହାଁନ୍ତି ବୋଲି କହିଥିଲେ ବିଭିନ୍ନ ସାମାଜିକ ଅଧିକାର ଓ ଦୁର୍ନୀତି ବିରୋଧୀ ସଂଗଠନ। ୨୦୦୦ ମସିହାରୁ ଋଷର ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଆସୁଛନ୍ତି ପୂର୍ବତନ କେଜିବି ଏଜେଣ୍ଟ। ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହୋଇଥିଲା।
୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି। ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି। ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି। ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ। ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି।