ଶେଷ ହେଲା ୧୨୦୪ ଦିନର ଅପେକ୍ଷା, ଚତୁର୍ଥ ଟେଷ୍ଟରେ ଶତକ ହାସଲ କଲେ ବିରାଟ

1 min read

ଅହମଦାବାଦ: ଶେଷ ହେଲା ୧୨୦୪ ଦିନର ଅପେକ୍ଷା । ଟେଷ୍ଟ କ୍ରିକେଟରେ ଶତକ ହାସଲ କଲେ ବିରାଟ କୋହଲି । ୨୩ ନଭେମ୍ବର ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନଥିଲେ ବିରାଟ । ତେବେ ଅହମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଶେଷ ହୋଇଛି ଏହି ଅପେକ୍ଷା । ଏହି ଶତକ ସହ ଅନ୍ତର୍ଜାତୀୟ କ୍ରିକେଟରେ ୭୫ତମ ଶତକ ହାସଲ କରିଛନ୍ତି କୋହଲି ।

ଟେଷ୍ଟ କ୍ରିକେଟରେ ଏହା ହେଉଛି ବିରାଟ କୋହଲିଙ୍କ ୨୮ ତମ ଶତକ । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି କୋହଲି । ସେ ୨୪୧ ବଲରେ ଶତକ ଶତକ ପୂରଣ କରିଥିଲେ । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଆରମ୍ଭରୁ ବିରାଟ କୋହଲି ଧୀମା ବ୍ୟାଟିଂ କରିଥିଲେ । ବିରାଟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହା ପୂର୍ବରୁ ବିରାଟ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଓ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଶତକ ହାସଲ କରିଥିଲେ ।

ଗତ ତିନି ବର୍ଷ ଧରି ଟେଷ୍ଟରେ ବିରାଟ କୋହଲିଙ୍କ ବ୍ୟାଟ ଶାନ୍ତ ଥିଲା । ସେ ୨୦୨୦ରେ ୧୯.୩୩ ହାରାହାରିରେ ୧୧୬ ରନ୍, ୨୦୨୧ରେ ୨୮.୨୧ ହାରାହାରିରେ ୫୩୬ ରନ୍ ଓ ୨୦୨୨ରେ ୨୬.୫ ହାରାହାରିରେ ୨୬୫ ରନ୍ କରିଥିଲେ । ଗତ ୧୫ଟି ଇନିଂସରେ ମଧ୍ୟ ବିରାଟ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ତେବେ ଚଳିତ ବର୍ଷ ଆରମ୍ଭ ମଧ୍ୟ ବିରାଟଙ୍କ ପାଇଁ ଭଲ ନଥିଲା । ବର୍ଡର-ଗାଭାସ୍କର ସିରିଜର ପ୍ରଥମ ତିନୋଟି ମ୍ୟାଚରେ ବିରାଟ ୧୧୧ ରନ୍ କରିଥିଲେ । କିନ୍ତୁ ଏହି ସିରିଜର ଚତୁର୍ଥ ମ୍ୟାଚରେ ବିରାଟ କୋହଲି ଶତକ ହାସଲ କରି ତିନି ବର୍ଷ ଧରି ଥିବା ଅପେକ୍ଷାର ଅନ୍ତ ଘଟାଇଛନ୍ତି ।