କାହାଣୀ ୨୧: ବିଦାୟୀ ବର୍ଷରେ ‘ବିରାଟ’ ବିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ପାଇଁ ଇତିହାସ ହୋଇ ରହିବ ବର୍ଷ ୨୦୨୧ । ଧୋନିଙ୍କ ଉତ୍ତରାଧିକାରୀ ତଥା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୨୦୨୧ ଥିଲା ବିବାଦର ବର୍ଷ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ କୋହଲିଙ୍କ ବିବାଦ ବର୍ଷ ଶେଷରେ କ୍ରିକେଟ ଦୁନିଆରେ ସୃଷ୍ଟି କରିଥିଲା ଚହଳ । ଟି-୨୦ରେ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ଘୋଷଣା କ୍ରିକେଟ ଦୁନିଆକୁ ଯେତିକି ଚକିତ କରିନଥିଲା ଦିନିକିଆ ଅଧିନାୟକ ପଦରୁ ବିଦା ହେବା ରହିଥିଲା ବେଶ୍ ଚର୍ଚ୍ଚାରେ।

୨୦୧୭ରେ ମହେନ୍ଦ୍ର ସିଂ ଧୋନି ଅଧିନାୟକତ୍ୱ ଛାଡିବାପରେ, ବିରାଟ କୋହଲି ହୋଇଥିଲେ ଭାରତୀୟ କ୍ରିକେଟର ବେତାଜ ବାଦଶାହ। ଏହ ପରେ ୩ ବର୍ଷ ଯାଏ ତାଙ୍କୁ କେହି କଡ଼ା ଟକ୍କର ଦେଇପାରିନଥିଲେ ଏବଂ ସବୁଆଡ଼େ କେବଳ ତାଙ୍କରି ନାଁ ହିଁ ଚମକୁଥିଲା। ବିସିସିଆଇରେ ଦୃଢ଼ ପ୍ରଶାସନର ଅଭାବରେ କୋହଲି ହିଁ ସବୁ ନିଷ୍ପତ୍ତି ନେବା ଆରମ୍ଭ କଲେ । ଏବଂ ଭାରତୀୟ ଦଳର ଭଲ ପ୍ରଦର୍ଶନ ଦେଖି କେହି ଆପତ୍ତି ମଧ୍ୟ କଲେ ନାହିଁ । କିନ୍ତୁ ଆଇସିସି ଟାଇଟଲ ଜିତିବାରେ ବିଫଳ ହୋଇଥିଲା ଦଳ । ତା’ପରେ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହା ୨୦୧୯ରେ ବିସିସିଆଇର କମାଣ୍ଡ ଧରିଲେ । ବର୍ଷେ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଟି-୨୦ ବିଶ୍ୱକପ୍ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ କୋହଲି। ଦିନିକିଆ ଦଳର ଅଧିନାୟକତ୍ୱ ଛାଡିବାକୁ କିନ୍ତୁ ତାଙ୍କର କୌଣସି ଯୋଜନା ନଥିଲା । ହେଲେ ଦିନିକିଆ ଅଧିନାୟକତ୍ୱରୁ ବିସିସିଆଇ ତାଙ୍କୁ ମୁକ୍ତି ଦେଇବା ପରେ ଆରମ୍ଭ ହୋଇଥିଲା ବିବାଦ ।

ଗାଙ୍ଗୁଲିଙ୍କ ସହ ମତଭେଦ

ଗାଙ୍ଗୁଲିଙ୍କ ସହ ମତଭେଦରେ କୋହଲିଙ୍କ ହାତରୁ ODI ଦଳର ଅଧିନାୟକତ୍ୱର ଚାଲିଗଲା। ଯାହାପରେ ଗାଙ୍ଗୁଲି ଓ ତାଙ୍କ ମଧ୍ୟରେ ଥିବା ତିକ୍ତତା ସାମ୍ନାକୁ ଆସିଥିଲା। ଉଭୟ ପରସ୍ପରର ମତକୁ ସର୍ବସାଧାରଣରେ ଅସ୍ୱୀକାର କରିଥିଲେ। ସୀମିତ ଓଭର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିଦିଆଗଲା। ଯାହାପରେ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲା। ବର୍ଷ ୨୦୨୧ ଯେମିତି କୋହିଲଙ୍କ ଉପରେ କଳା ବାଦଲ ଭଳି ଢାଙ୍କି ହୋଇଯାଇଥିଲା ।

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ବିଫଳ କୋହଲି। ପ୍ରଥମ ଇନିଂସରେ ୩୫ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୧୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ବିରାଟ କୋହଲି । ଯାହାପରେ, ୨୦୧୯ରୁ ଫ୍ୟାନମାନେ ଅପେକ୍ଷା କରିଥିବା କୋହଲିଙ୍କ ୭୧ ତମ ଶତକ ବି ଅପେକ୍ଷାରେ ହିଁ ରହିଗଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ୭୦ତମ ଶତକ ଥିଲା। ପଣ୍ଟିଂ ୭୧ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ୍ ତେନ୍ଦୁଲକର ୧୦୦ ଶତକ ମାରିଛନ୍ତି। କିନ୍ତୁ ଏହି ଶତକ ପରେ କୋହଲିଙ୍କ ବ୍ୟାଟ୍ ପୂରା ଶାନ୍ତ ପଡ଼ିଯାଇଛି। ୨୦୨୧ରେ ଗୋଟିଏ ମଧ୍ୟ ଶତକ ମାରିପାରିନାହାନ୍ତି କୋହଲି। ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି ହେଲେ କୋହଲିଙ୍କ ବ୍ୟାଟରୁ ଶତକୀୟ ପାରି ଦେଖିବାକୁ ମିଳିନାହିଁ । ଏବେ ବି ୭୧ତମ ଶତକ ଅପେକ୍ଷାରେ କୋହଲି ।

କୋହଲି-ରବି ଶାସ୍ତ୍ରୀଙ୍କ ଯୁଗ ଶେଷ

ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆ ଶୀଘ୍ର ବାହାରିବା ସହ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଯୁଗ ମଧ୍ୟ ଶେଷ ହୋଇଯାଇଥିଲା। କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳର ସମ୍ଭାବନାକୁ କେହି ସନ୍ଦେହ କରୁନାହାଁନ୍ତି, କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ଫାଇନାଲରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟ ଫ୍ୟାନଙ୍କୁ ନିରାଶ କରିଛି । ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ତ ପ୍ରବେଶ କରିଥିଲା, କିନ୍ତୁ ଟାଇଟଲ ମ୍ୟାଚରେ ବାଜି ମାରିନେଲା ନ୍ୟୁଜିଲ୍ୟାଣ୍ଡ।

ବିବାଦ ମଧ୍ୟରେ ଶେଷ ହୋଇଥିବା କୋହଲିଙ୍କ କ୍ରିକେଟ୍ ୨୦୨୧ ଆଗକୁ କେଉଁ ଆଡ଼େ ଯାଉଛି ଏହା କେବଳ ତାଙ୍କ ବ୍ୟାଟ୍ କହିବ। ନୂଆବର୍ଷରେ ପୁଣି ପୁରୁଣା ଫର୍ମକୁ ଫେରି କୋହଲି ନିଜ ପ୍ରତିଷ୍ଠା ବଜାଇ ରଖୁଛନ୍ତି ନାଁ ଆଗକୁ ତାଙ୍କ କ୍ୟାରିୟର ଏମିତି ଦୋଦୁଲ୍ୟମାନ ପରିସ୍ଥିତିରେ ଅନ୍ତ ଘଟୁଛି ତାହା ସମୟ କହିବ । ସେ ଯାହାବି ହେଉ ମିଷ୍ଟର କୁଲ ଧୋନୀଙ୍କ ପରେ ଭାରତୀୟ କ୍ରିକେଟକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇ ଥିବା କୋହଲିଙ୍କ କ୍ରିକେଟ କ୍ୟାରିୟରକୁ ବିଶ୍ୱ ସବୁଦିନ ମନେ ରଖିବ ।

Leave a Reply