କାହାଣୀ ୨୧: ବିବାଦରେ ପେଗାସସ୍, ଟାର୍ଗେଟରେ ୫୦ ହଜାର ବିଶିଷ୍ଟ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ୨୦୨୧ ମସିହାରେ ସାରା ବିଶ୍ୱରେ ଅନେକ ବାଦ ବିବାଦ ସାମ୍ନାକୁ ଆସିଥିଲା । ତେବେ ଏହି ସବୁ ମଧ୍ୟରେ ୨୦୨୧ ମସିହାର ଚର୍ଚ୍ଚିତ ଓ ବିବାଦୀୟ ଘଟଣା ମଧ୍ୟରୁ ଇସ୍ରାଏଲ ସ୍ପାଇଓ୍ୱେୟାର କମ୍ପାନୀ ପେଗାସସ୍ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସାରା ବିଶ୍ୱର ପ୍ରାୟ ୫୦ ହଜାର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିଥିଲା ପେଗାସସ୍ । ଏହି ତାଲିକାରେ ଏକ ହଜାରରୁ ଅଧିକ ଭାରତୀୟଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ନେତା, ମନ୍ତ୍ରୀ, ବିଚାରପତି , ସାମ୍ବାଦିକଙ୍କ ସହ ଅନ୍ୟ କିଛି ବରିଷ୍ଠ ବ୍ୟକ୍ତି ବିଶେଷ ପେଗାସସର ଶିକାର ହୋଇଥିଲେ ।

 

ପେଗାସସ୍ ହେଉଛି ଇସ୍ରାଏଲର ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍ ନମ୍ବର ମାଧ୍ୟମରେ ଫୋନରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ । ଫୋନରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍ସଆପ୍ ଚାଟ୍, ଫେସବୁକ୍ ଅପଡେଟ୍ ଆଦି ବହୁ ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍ ସ୍ପାଇୱେୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣାଇଥାଏ । ଇସ୍ରାଏଲର ଏନଏସଓ ସଂସ୍ଥା ଏହି ‘ପେଗାସସ୍ ସ୍ପାଇୱେୟାର’କୁ କେବଳ ବିଭିନ୍ନ ସରକାରଙ୍କୁ ହିଁ ବିକ୍ରି କରିଥାଏ ।


ପେଗାସସକୁ ନେଇ ଭାରତରେ ମଧ୍ୟ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ । ଏହି ଘଟଣାକୁ ଆମେରିକାର ବହୁ ଚର୍ଚ୍ଚିତ ଓ୍ୱାଟରଗେଟ ଦୁର୍ନିତ ସହ ତୁଳନା କରିଥିଲେ । ଭାରତରେ ପ୍ରାୟ ଏକ ହଜାରରୁ ଅଧିକ ଫୋନ ନମ୍ବରର ପେଗାସସର ଟାର୍ଗେଟରେ ରହିଥିବା ଜଣାପଡ଼ିଥିଲା । ପେଗାସସ୍ ଟାର୍ଗେଟରେ ଶାସକ, ବିରୋଧୀ ଦଳର ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବିଚାରପତି, ସାମ୍ବାଦିକ , ବେସରକାରୀ ସଂଗଠନର କର୍ମକତ୍ତା କେହି ବି ବର୍ତ୍ତିନଥିଲେ । ଭାରତ ସମେତ ବିଶ୍ୱର ୫୦ଟି ଦେଶରେ ପେଗାସସ୍ ମାଧ୍ୟମରେ ଫୋନ ହ୍ୟାକିଂ ହୋଇଥିବା ଜଣାପଡ଼ିଥିଲା ।


ପେଗାସସରେ ମୋଦୀ ସରକାରଙ୍କ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତା, ସାମ୍ବାଦିକ, ସାମାଜିକ କର୍ମୀ ଆଦିଙ୍କ ବିରୋଧରେ ଏହି ଗୁଇନ୍ଦାଗିରି ହୋଇଥିବା ଅଭିଯୋଗ ରହିବା ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲା । ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ଶେଷରେ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ଉକ୍ତ ମାମଲା ସଂପର୍କରେ ସରକାର ସୁପ୍ରିମ କୋର୍ଟରେ ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରିଥିଲେ। ଅନୁମାନ ଏବଂ ତଥ୍ୟବିହୀନ ଗଣମାଧ୍ୟମ ରିପୋର୍ଟ ଉପରେ ଏହି ଅଭିଯୋଗ ପର୍ଯ୍ୟବସିତ ବୋଲି ସରକାର କହିଥିଲେ। ଏହାର ଶୁଣାଣି କରି ସୁପ୍ରିମ କୋର୍ଟ ଏକ ସାଇବର ବିଶେଷଜ୍ଞ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଆରଭି ରବୀନ୍ଦ୍ରନ ଉକ୍ତ ତଦନ୍ତର ଅନୁଧ୍ୟାନ କରିବେ ବୋଲି ସୁପ୍ରିମ କୋର୍ଟ କହିଥିଲା । ପେଗାସସ୍ ସ୍ପାଏଓ୍ୱେୟାର ମଧ୍ୟରେ ବିବାଦ ଘେରକୁ ଆସିବା ପରେ ଏହାର ବ୍ୟବହାର ଉପରେ ରୋକ ଲଗା ଯାଇଥିଲା । ଇସ୍ରାଏଲ ସରକାରଙ୍କ ତଦନ୍ତ ଅଧିକାରୀ ପେଗାସସର ଅଫିସ ଯାଞ୍ଚ କରିବା ପରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିଲେ ।


ବିଭିନ୍ନ ଦେଶର ସରକାର ଏନଏସଓ ପାଖରୁ ପେଗାସସର ଲାଇସେନ୍ସ ନେଇଥିଲେ। ହେଲେ କିଛି ସରକାର ଲାଇସେନ୍ସର ଅପବ୍ୟବହାର କରିଥିବା ସୂଚନା ମିଳିଥିଲା। ତେଣୁ ଏନଏସଓ ସେହି ସରକାରଙ୍କ ଲାଇସେନ୍ସ ସସପେଣ୍ଡ କରିଛି। ଏହାବାଦ ସମସ୍ତ ସରକାର ଏବେ ପେଗାସସ ବ୍ୟବହାର କରିପାରିବେ ନାହିଁ ବୋଲି ଏନଏସଓ ନିଷ୍ପତ୍ତି ନେଇଛି। ଇସ୍ରାଏଲ ଅଧିକାରୀ ଏନଏସଓ ଅଫିସ ଯାଞ୍ଚ କରିବା ବେଳେ ଅନେକ କିଛି ତଥ୍ୟ ପାଇଥିଲେ । କିନ୍ତୁ କେଉଁ ସବୁ ତଥ୍ୟ ଜବତ ହୋଇଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇ ପାରିବ ନାହିଁ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ।
ଅନ୍ୟପକ୍ଷରେ ପେଗାସସ୍ ସଫ୍ଟୱେୟାର କମ୍ପାନୀର ନିର୍ମାତା ଇସ୍ରାଏଲର ଏନଏସଓ ପ୍ରତିକ୍ରିୟା ରଖି ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗକୁ ଖାରଜ କରିସାରିଛି। କମ୍ପାନୀ କହିଛି ଏହି ସଫ୍ଟୱେୟାର କାହା ମୋବାଇଲର ଡାଟା ଚୋରି କରେ ନାହିଁ। ବରଂ ଏହି ସଫ୍ଟୱେୟାର ଏକ ଏପରି ଟେକ୍ନୋଲଜିରେ ତିଆରି ହୋଇଛି ଯାହାକି ସାରା ବିଶ୍ୱକୁ ସୁରକ୍ଷିତ ରଖିପାରିବ ବୋଲି ଏନଏସଓ କହିଥିଲା ।

Leave a Reply