ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲିଙ୍କୁ ମିଳିବ ବିଶ୍ରାମ; ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ଦଳରେ ହେବ ପରିବର୍ତ୍ତନ
1 min readନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ଦଳ ଆତ୍ମସମୀକ୍ଷା କରି ପୁଣିଥରେ ଦୃଢ ସ୍ଥିତିକୁ ଫେରୁଥିବା ଦେଖାଯାଇଛି । ରୋହିତଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଚିତ୍ ପଟାଙ୍ଗ କରିଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ୨-୧ରେ ଜିତିବା ପରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ୨-୦ରେ ଆଗୁଆ ରହିଛି । ତୃତୀୟ ମ୍ୟାଚ୍ ଆସନ୍ତାକାଲି ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଯାଉଛି ।
ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ ହେବା କଥା ଅନୁମାନ କରାଯାଉଛି । ଆସନ୍ତାକାଲିର ମ୍ୟାଚ୍ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଗସ୍ତ କରିବ । ଆସନ୍ତା ୧୬ ଅକ୍ଟୋବରରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ତେବେ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଥିବା ଭାରତ ପ୍ଲେଇଙ୍ଗ-୧୧ରେ ୨ରୁ ତିନି ପରିବର୍ତ୍ତନ କରିପାରେ । ଦୀର୍ଘ ଅଢ଼େଇ ବର୍ଷର ବ୍ୟବଧାନ ପରେ ଫର୍ମକୁ ଫେରିଥିବା ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ ।
ସେହିପରି ଜଶପ୍ରୀତ ବୁମରାହଙ୍କ ସ୍ଥାନରେ ଦଳରେ ସାମିଲ ବୋଲର ମହମ୍ମଦ ସିରାଜ ତୃତୀୟ ମ୍ୟାଚ ଖେଳିବା ନେଇ ଚର୍ଚ୍ଚା ହେଉଛି । ଭଲ ଫର୍ମରେ ଥିବା ବିରାଟଙ୍କୁ ବିଶ୍ୱକପ ପାଇଁ ସୁସ୍ଥ ରଖିବା ପାଇଁ ତାଙ୍କୁ ବ୍ରେକ ଦେବାକୁ ବିସିସିଆଇ ଯୋଜନା କରୁଛି । ବୋଲର ହର୍ଷଲ ପଟେଲ ମଧ୍ୟ ଏବେ ଭଲ ପ୍ରଦର୍ଶନ କରୁଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦିଆଯାଇପାରେ । ବୁମରାହ ଟି-୨୦ ବିଶ୍ୱକପ ଖେଳିବା ଉପରେ ଏବେବି ସନ୍ଦେହ ରହିଛି । ଏହା ପୂର୍ବରୁ ସିରାଜଙ୍କୁ ସୁଯୋଗ ଦେଇ ଟିମ୍ ତାଙ୍କୁ ପରଖିବା ପାଇଁ ଚାହୁଁଛି ।