ପୁଣି RCBର ଅଧିନାୟକ ହେବେ କି ବିରାଟ କୋହଲି ?

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ସମସ୍ତ ଦଳ ୩୧ ଅକ୍ଟୋବରରେ ସେମାନଙ୍କ ଖେଳାଳିଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ଯାଉଛନ୍ତି । ଯାହା ପରେ ଚଳିତ ବର୍ଷ ଶେଷରେ ଏକ ମେଗା ନିଲାମ ଦେଖିବାକୁ ମିଳିବ  । ଏଥର ଅନେକ ବଡ ଖେଳାଳିଙ୍କ ଦଳ ବଦଳୁଥିବା ଦେଖାଯାଉଥିବାବେଳେ ଅନେକ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ କରିପାରେ । ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ପୁଣି ଥରେ ଆରସିବିର ଅଧିନାୟକ ହୋଇପାରନ୍ତି  ।

ଇଏସପିଏନ ଅନୁଯାୟୀ ବିରାଟ କୋହଲି ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦଳ ପରିଚାଳନାକୁ ନେଇ ସେ ଏହି ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ଅଛି ତାହା କେହି ଜାଣି ନାହାଁନ୍ତି କିମ୍ବା ଆରସିବି ଦ୍ୱାରା କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ବିରାଟ କୋହଲି ଦୀର୍ଘ ଦିନ ଧରି ଆଇପିଏଲରେ ଆରସିବି ଅଧିନାୟକତ୍ୱ କରିଛନ୍ତି। କୋହଲି ୯ ବର୍ଷ ଧରି ଆରସିବିର ଅଧିନାୟକ ଥିଲେ। ତେବେ ଦଳ ତାଙ୍କ ଅଧିନାୟକତ୍ୱ ଅଧୀନରେ ଟାଇଟଲ ଜିତିପାରି ନାହିଁ।

୨୦୨୧ ମସିହାରେ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଥିଲେ। ଯାହା ପରେ ଫାଫ୍ ଡୁ ପ୍ଲେସିସଙ୍କୁ ଆରସିବିର ନୂତନ ଅଧିନାୟକ କରାଯାଇଥିଲା। ଫାଫ୍ ତିନି ବର୍ଷ ଧରି ଆରସିବି ଅଧିନାୟକତ୍ୱ କରିଆସୁଛନ୍ତି, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ଆରସିବି ଫାଫ୍ ମୁକ୍ତ କରିପାରନ୍ତି । ଯାହା ପରେ ଆରସିବି ଏକ ନୂତନ ଅଧିନାୟକ ଆବଶ୍ୟକ କରିବ | ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ପୁଣି ଥରେ ଆରସିବି ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିପାରେ ।