ଦେଶରେ ଭାଇରାଲ୍ ଭୟ, H3N2, କରୋନା ଓ ସ୍ବାଇନ୍ ଫ୍ଲୁ ବଢାଉଛି ସଂକ୍ରମଣ

1 min read

ନୂଆଦିଲ୍ଲୀ: ଦେଶରେ ବଢୁଛି ଭାଇରାଲ୍ ଭୟ । H3N2, କରୋନା ଓ ସ୍ବାଇନ୍ ଫ୍ଲୁ ବଢାଉଛି ସଂକ୍ରମଣ । ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା କେବଳ ସ୍ବାଇନ୍ ଫ୍ଲୁରେ ଦେଶରେ ୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ସର୍ବାଧିକ ୫୪୫ ଜଣ H1N1 ବା ସ୍ବାଇନ୍ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, ଗୁଜରାଟରେ ୧୭୦ ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ କେରଳ ଓ ପଞ୍ଜାବରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ସେପଟେ ଇନଫ୍ଲୁଏନଜାରେ ଆକ୍ରାନ୍ତ ସଂଖ୍ୟା ବି ବଢୁଛି। ଏପର୍ଯ୍ୟନ୍ତ ୩୫୨ ଜଣ ସଂକ୍ରମିତ ହୋଇଛନ୍ତି ।

H3N2 ସଂକ୍ରମଣକୁ ଆଖିରେ ରଖି ପୁଡୁଚେରୀରେ ଆସନ୍ତାକାଲିଠୁ ୨୬ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଆଇସିୟୁ, ଆଇସୋଲେସନ୍ ୟୁନିଟ୍ ବଢାଯାଇଛି । ସେପଟେ କରୋନା ସଂକ୍ରମଣର ଗ୍ରାଫ୍ ମଧ୍ୟ ଗତ କିଛି ଦିନ ହେଲା ଉପରମୁହାଁ ହୋଇଛି । ଦୈନିକ କୋଭିଡ୍ ସଂକ୍ରମଣ ଅନେକ ଦିନ ପରେ ୬ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାଇନ୍ ଫ୍ଲୁ, ଇନଫ୍ଲୁଏନଜା ହେଉ କି କରୋନା, ଡ୍ରପଲେଟ୍ ମାଧ୍ୟମରେ ଏସବୁ ସଂକ୍ରମଣ ବ୍ୟାପେ । ତେଣୁ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।