ଭୀମସାର୍‌ରେ ସଫଳ ଅପରେସନ ପରେ ନାବାଳିକା ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି

ବଲାଙ୍ଗୀର: ନାବାଳିକାଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି । ସଫଳ ଅପରେସନ ପରେ ୭୦ ଛୁଞ୍ଚି ବାହାରିଥିବା ନେଇ ସୂଚନା ଦେଲେ ଭୀମସାର୍ ନିର୍ଦ୍ଦେଶକ ପ୍ରଫେସର ଭବାନୀ ରଥ । ଗତକାଲି ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ମଧ୍ୟ ରାତ୍ରରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ୧୦ ଜଣିଆ ଡାକ୍ତରୀ ଟିମ୍ ମୁଣ୍ଡରେ ଅସ୍ତ୍ରୋପଚାର କରି ୭୦ଟି ଛୁଞ୍ଚି ବାହାର କରିଥିଲେ । ନାବାଳିକାର ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ବଲାଙ୍ଗୀର କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି ଅନ୍ଧବିଶ୍ବାସର କୁପରିଣତି  । ସୁସ୍ଥ ହେବାକୁ ଗୁଣିଆ ପାଖକୁ ଯାଇ ଯୁବତୀ ଗୁରୁତର ହୋଇଛନ୍ତି । ଗୁଣି ଚିକିତ୍ସା କରିବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୭୦ଟି ଛୁଞ୍ଚି ପୁରାଇ ଦେଇଥିଲା ଗୁଣିଆ  ।

କଣ୍ଟାବାଞ୍ଜି ଥାନାରେ ପରିବାରର ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ।