ବଦଳୁଛି ଗାଁର ଚିତ୍ର: ଗାଁରେ ଲୋକେ ପାଉଛନ୍ତି ସହରୀ ସୁବିଧା

ଯାଜପୁର: ବଦଳୁଛି ଗାଁର ଚିତ୍ର  । ଗାଁ ଲୋକ ପାଉଛନ୍ତି ସହରି ସୁବିଧା  । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତରେ ଲୋକଙ୍କ ମନ ମୋହୁଛି ଗ୍ରାମୀଣ ଉଦ୍ୟାନ । ସରପଞ୍ଚଙ୍କ ଉଦ୍ୟମ ଓ ସରକାରୀ ଯୋଜନା ସହାୟତାରେ ସାକାର ହୋଇଛି ଜନସାଧାରଣଙ୍କ ସ୍ୱପ୍ନ  । ଗାଁରେ ପାର୍କର ମଜା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  ।

ଭଳିକିଭଳି ଫୁଲ ଆଉ ଆଖି ଝଲସିଲା ପରି ନିର୍ମାଣ  । ତା’ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ନାନା ସାମଗ୍ରୀ  । ଅବସର ସମୟର ଉପଯୋଗ ହେଉଛି ଆଉ ଭରପୁର ମନୋରଞ୍ଜନ ବି ମିଳୁଛି  ।  ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି ପରସୁଛି ଏହି ଗ୍ରାମୀଣ ଉଦ୍ୟାନ  । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତବାସୀଙ୍କର ମନ ମୋହୁଛି ଗ୍ରାମୀଣ ଉଦ୍ୟାନ  ।  ବିଜୁ ଗ୍ରାମୀଣ ଉଦ୍ୟାନ ଯୋଜନାରେ ସାକାର ହୋଇପାରିଛି ଲୋକଙ୍କ ସ୍ୱପ୍ନ  । ପ୍ରାକୃତିକ ପରିବେଶରେ ଆଧୁନିକ କଳାକୌଶଳର ଉପଯୋଗରେ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଲୋକେ   ।

ମନରେଗା ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ପାର୍କରେ ପ୍ରାକୃତିକ ପରିବେଶର ଶୋଭାକୁ ଦ୍ୱିଗୁଣିତ କରୁଛି ଆଲୋକୀକରଣର ବ୍ୟବସ୍ଥା । ଏଠାରେ ଯୋଗ, ବ୍ୟାୟାମ ଓ ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀର ବ୍ୟବସ୍ଥା କରାଯାଇଛି  । ଫଳରେ ସକାଳ ସଞ୍ଜରେ ଉଦ୍ୟାନରେ ଲୋକଙ୍କର ଭିଡ ଜମୁଛି । ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ଓ ଶୌଚାଳୟର ନିର୍ମାଣ କରାଯାଇଛି । ଗାଁ ମାଟିରେ ସହରି ସୁବିଧା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  । ପଞ୍ଚାୟତର ଏଭଳି ନିଆରା ନିର୍ମାଣକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି  ।

ଆଗାମୀ ଦିନରେ ଆହୁରି ଆକର୍ଷଣୀୟ ହେବ ଉଦ୍ୟାନ  । ବୋଟିଂର ମଜା ଉଠାଇବେ ସ୍ଥାନୀୟ ଲୋକେ  । ଏହା ସହିତ ଲୋକଙ୍କ ମନୋଞ୍ଜନ ପାଇଁ କେତେକ ନିଆରା ପନ୍ଥା ଆପଣାଇବାକୁ ପଞ୍ଚାୟତ ତରଫରୁ ଯୋଜନା କରାଯାଉଛି  ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

Leave a Reply