ମୁଖ୍ୟମନ୍ତ୍ରୀ ସମ୍ପର୍ଦ୍ଧିତ କରିବାକୁ ବିଜେଡିର ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ । ନେତା ନମ୍ବର ଓ୍ବାନ୍ ନବୀନ ପଟ୍ଟନାୟକ ହେବେ ସମ୍ମାନିତ । ଦିଲ୍ଲୀରୁ ଓଡ଼ିଶା, ଶୁଭେଚ୍ଛା, ସମ୍ବର୍ଦ୍ଧନା ପାଇଁ ବଡ଼ ପ୍ରସ୍ତୁତି । ସାମିଲ ହେବେ ବିଧାୟକ, ନେତା, ପ୍ରବାସୀ ଓଡିଆ ।

ଓଡ଼ିଶା ରାଜନୀତିରେ ନବୀନ ଅପରାଜେୟ, ଅପ୍ରତିଦ୍ବନ୍ଦ୍ବୀ । ଦୃଢ ଓ ସ୍ବଚ୍ଛ ନେତୃତ୍ବ ପାଇଁ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସାରାଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି  । ଜାତୀୟ ରାଜନୀତିରେ ନବୀନଙ୍କ ଲୋକପ୍ରିୟତା କାହିଁରେ କ’ଣ ? ଆଉ ଏଥିପାଇଁ ସେପ୍ଟେମ୍ବର ୪ରେ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦେବା ପାଇଁ ବଡ଼ ପ୍ରସ୍ତୁତି କରିଛି ବିଜେଡି । ଦିଲ୍ଲୀର ଓଡ଼ିଶା ଭବନରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା,  ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ।

ଦେଶ ରାଜନୀତିରେ ରାଷ୍ଟ୍ର ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ବର୍ଷ ଧରି ଦୃଢ ନେତୃତ୍ବ ଯୋଗୁଁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଜୀବନବ୍ୟାପୀ ସାଧନା ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇ ୬ ତାରିଖରେ ଓଡ଼ିଶା ଫେରିବେ । ସେହିଦିନ ଭୁବନେଶ୍ବର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡିର ଛାତ୍ର, ଯୁବ ଓ ମହିଳା ସଂଗଠନ ଅଣ୍ଟା ଭିଡ଼ିଛନ୍ତି । ବିରାଟ ପଟୁଆରରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପୂରା ଓଡ଼ିଶା ପ୍ରସ୍ତୁତ । ବିଭିନ୍ନି ନିର୍ବାଚନ ମଣ୍ଡଳରୁ ଶତାଧିକ ଲୋକ ଭୁବନେଶ୍ବର ଆସୁଥିବାରୁ ଏହାକୁ ସଫଳ କରିବା ପାଇଁ ବିଧାୟକମାନେ ଅଣ୍ଟା ଭିଡ଼ିଛନ୍ତି ।

ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, କ୍ରୀଡାରୁ ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ, ସ୍ପୋର୍ଟସ ହବରୁ ଦ୍ରୁତ ଶିଳ୍ପାୟନ ଲୋକାଭିମୁଖୀ ଯୋଜନାରେ ନବୀନ ଏକ ନମ୍ବର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବିଶ୍ବ ପାଇଁ ସେ ସାଜିଛନ୍ତି ରୋଲ ମଡ଼େଲ । ଜାତିସଂଘ ବି ଓଡ଼ିଶାକୁ ପ୍ରଶଂସା ସହ ପୁରସ୍କୃତ କରିଛି ।