୨୦ ଲକ୍ଷ ଲାଞ୍ଚ ନେଉଥିଲେ, ଇନ୍ସପେକ୍ଟର ଚାକିରିରୁ ବିଦା ହେଲେ

ଭୁବନେଶ୍ୱର: ଭିଜିଲାନ୍ସ ଅଧିକାରୀ ବି ସ୍କାନରରେ ରହିବେ । ଏଥିପାଇଁ ଭିଜିଲାନ୍ସ ସେଲର ଆଭ୍ୟନ୍ତରୀଣ ୟୁନିଟକୁ କ୍ରିୟାଶିଳ କରାଯାଇଛି । ଫଳରେ ଆଜି ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । ଜଣେ ମଧ୍ୟସ୍ଥି ଜରିଆରେ ସରକାରୀ ଅଧିକାରୀଙ୍କୁ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ଏକ ମାମଲାକୁ ରଫା ଦଫା ପାଇଁ ମାନସୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥତା କରୁଥିଲେ ବରଗଡ଼ର ମୁକେଶ ସାହୁ । ଏନେଇ ମୁକେଶ ଓ ମାନସୀଙ୍କ ଘରେ ଖାନତଲାସି ଚାଲିଛି । ତେବେ ମୁକେଶ କାହିଁକି ମଧ୍ୟସ୍ଥତା ସାଜିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେ ଭିଜିଲାନ୍ସରେ କାର୍ଯ୍ୟରତ କମର୍ଚାରୀଙ୍କ ଉପରେ ବି ନଜର ରଖିଛି ଭିଜିଲାନ୍ସ । ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଭିଜିଲାନ୍ସ ଆଭ୍ୟନ୍ତରୀଣ ୟୁନିଟ୍ ସକ୍ରିୟ କରାଯାଇଛି । ଦୁର୍ନୀତିରେ ଲିପ୍ତ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁର୍ନୀତି ନିବାରଣ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ।