ଭିଜିଲାନ୍ସ ଜାଲରେ ଅତିରିକ୍ତ ଥାନା ଅଧିକାରୀ, କେସ୍ କୋହଳ କରିବାକୁ ନେଉଥିଲେ ଲାଞ୍ଚ

ଉମରକୋଟ: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ନେଉଥିଲେ ଲାଞ୍ଚ । ଟଙ୍କା ନେଇ ଯାଉଥିବା ସମୟରେ ରାତି ୧୧ଟାରେ ଲିମରାଜ ପ୍ରଧାନଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱରେ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଦୌଡ଼ି ପଳାଉଥିବା ବେଳେ ଲିମରାଜଙ୍କୁ କାବୁ କରିଛି ଭିଜିଲାନ୍ସ । ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ଲିମରାଜଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ।

ଏହି ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣ ସାମିଲ ଥିଲେ । ଭିଜିଲାନ୍ସ ଲିମରାଜଙ୍କୁ କାବୁ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲେ ।