ଦେଶର ୧୪ତମ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଏବେ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଧନଖଡ଼ଙ୍କ ବିଜୟ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖାଯାଇଛି । ରାଜସ୍ଥାନରେ ଧନଖଡଙ୍କ ଜନ୍ମମାଟିରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି । ପୂର୍ବରୁ ସମସ୍ତେ ଜାଣିଥିଲେ ଧନଖଡ଼ ବିଜୟୀ ହେବେ ବୋଲି  । କାରଣ ବିଜେପି ପାଖରେ ଏକାକି ବହୁମତଠୁ ଅଧିକ ସାଂସଦ ରହିଛନ୍ତି । କେବଳ ଅଧିକାରିକ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିଲେ ।

ନବନିର୍ବାଚିତ ଧନଖଡ଼ ଆସନ୍ତା ୧୧ ତାରିଖରେ ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି ।  ଏନଡିଏ ପ୍ରାର୍ଥୀ ଧନଖଡ଼ ୫୨୮ ଭୋଟ୍ ପାଇଥିବା ବେଳେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ୍ ଆଲଭା ୧୮୨ ଭୋଟ୍ ପାଇଛନ୍ତି । ସେହିପରି ୧୫ଟି ଭୋଟ୍ ନାକଚ ହୋଇଯାଇଛି । ଉପରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଉତ୍ପଲ କୁମାର ସିଂହ ଏହି ସୂଚନା ଦେଇଛନ୍ତି । ଆଜି କାଳ ୧୦ ଟାରେ ମତଦାନ ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ସନ୍ଦ୍ୟା ୬ଟାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୯୨.୯୪ ପ୍ରତିଶତ ଭୋଟିଂ ହୋଇଥିଲା ।

ମୋଟ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ଆଜି ଭୋଟ୍ ଦେଇଥିଲେ ।  ଦୁଇ ଜଣ ବିଜେପି ସାଂସଦ ଭୋଟ ଦେଇନଥିଲେ । ସେମାନେ ହେଲେ ସନ୍ନି ଦେଓଲ ଓ ସଞ୍ଜୟ ଧୋତ୍ରେ । ଟିଏମସିର ୩୬ ସାଂସଦଙ୍କ ମଧ୍ୟରୁ ଦଳର ନିଷ୍ପତ୍ତି ଉଲ୍ଲଂଘନ କରି ଭୋଟ ଦେଇଛନ୍ତି ୨ ସାଂସଦ । ସେମାନେ ହେଲେ ଶିଶିର ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀ । ଅନ୍ୟ ୩୪ ସାଂସଦ ଭୋଟଦାନରୁ ରହିଥିଲେ ବିରତ । ସମାଜବାଦୀ ପାର୍ଟିର ୨, ଶିବସେନାର ୨, ବିଏସପିର ଜଣେ ସାଂସଦ ଭୋଟ ଦେଇନାହାନ୍ତି । ଅପରାହ୍ଣ ୫ଟାରେ ଭୋଟିଂ ସରିବା ପରେ ସନ୍ଧ୍ୟା ୬ରୁ ଆରମ୍ଭ ହୋଇଥିଲା କାଉଣ୍ଟିଂ ।