ଉପରାଷ୍ଟ୍ରପତି ନିର୍ବାଚନ: ନବୀନ ପୁଣି ଥରେ ଦୋହରାଇଲେ ସମଦୂରତା ନୀତି

ନନ୍ଦିଘୋଷ ବ୍ୟୁରୋ: ବିଜୁ ଜନତା ଦଳ ପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରଥମ । ଏହାକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଂଗ୍ରେସ ଶାସନରେ ଦେଶର ଯେଉଁ ଦୁର୍ଗତି ହୋଇଥିଲା ସେଥିପାଇଁ ତାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଦେଲାନି ସମର୍ଥନ । ସେହିପରି ରାଜ୍ୟକୁ ଗତ ଏକ ବର୍ଷରୁ ବିକାଶଠାରୁ ଦୂରକୁ ନେଇଥିବା ବିଜେପି ସରକାରକୁ ବି ନବୀନ ଦେଲେନି ସମର୍ଥନ । ନବୀନଙ୍କ ଏହି ସମଦୂରତା ନୀତି ଯୋଗୁଁ ଉଭୟ ବିଜେପି ଓ କଂଗ୍ରେସ ସହ ଲଢିବାକୁ ବିଜେଡି ପାଇଛି ନୂତନ ଉର୍ଜା । ଏଣିକି ବିଜେଡିଠାରୁ ଆହୁରି ଶାଣିତ ବିରୋଧର ସାମ୍ନା କରିବାକୁ ପଡିବ ବୋଲି ବିଜେପି ବୁଝି ସାରିଲାଣି । କଂଗ୍ରେସ ବି ଆରମ୍ଭ କରିଛି କସରତ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଦୋହରାଇଛନ୍ତି ସମଦୂରତା ନୀତି । ନବୀନ ପୁଣି ଥରେ ପ୍ରମାଣିତ କରି ଦେଇଛନ୍ତି ଯେ ଓଡ଼ିଶା ପ୍ରଥମ, ବାକି ସବୁ ପରେ । ଉପରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ସମଦୂରତା ନିଷ୍ପତ୍ତିକୁ ସାରା ରାଜ୍ୟ ଏବେ ପ୍ରଶଂସା କରୁଛି । ନବୀନଙ୍କ ରାଷ୍ଟ୍ରବାଦ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି । କଂଗ୍ରେସ ଶାସନରେ ଥିବାବେଳେ ଓଡ଼ିଶାକୁ ବିପର୍ଯ୍ୟସ୍ତ ଓ ଦୁର୍ଦ୍ଦିନକୁ ଠେଲି ଦେଇଥିଲା । ସେହିପରି ଗତ ୧୪ ମାସର ବିଜେପି ସରକାର ବି ଓଡ଼ିଶାକୁ ବିପର୍ଯ୍ୟସ୍ତ ଆଡ଼କୁ ଠେଲି ରାଜ୍ୟର ଆର୍ଥିକ ସ୍ଥିତି ଦୋହଲାଇ ଦେଲାଣି । ଏପରି ସ୍ଥିତି ଯେଉଁଠି ଉଭୟ ଦଳକୁ ଲୋକେ ପସନ୍ଦ କରୁ ନାହାନ୍ତି, ସେଠି ବିଜେଡି କିପରି ଜଣଙ୍କୁ ସମର୍ଥନ କରିବ ? ସେଥିପାଇଁ ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହି ସମଦୂରତା ନୀତି କାଏମ ରଖିଲେ ନବୀନ ପଟ୍ଟନାୟକ । ଏହି ସମଦୂରତା ନୀତିରେ ଛାତ୍ର ଓ ଯୁବ ବିଜେଡି ଉତ୍ସାହିତ ହୋଇ ଆଗକୁ ଲଢେଇ ଜୋରଦାର କରିବାକୁ ପ୍ରେରଣା ପାଇଛି । ଆଗକୁ ଉଭୟ କଂଗ୍ରେସ ଓ ବିଜେପି ସହ ଲଢେଇ ଜାରି ରହିବ । ଯେଉଁ ଦଳ ବି ଓଡ଼ିଶା ସ୍ବାର୍ଥ ବିରୋଧୀ ହେବେ, ତା’ ବିରୋଧରେ ଲଢେଇ କରିବାକୁ ନବୀନଙ୍କ ସମଦୂରତା ନୀତି ବିଜେଡିକୁ ମାର୍ଗଦର୍ଶନ ଦେଇଛି । ନବୀନ ଯେ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନିଆନ୍ତି, ତାହା ପୁଣି ପ୍ରମାଣିତ ହୋଇଛି ।

ବାରମ୍ବାର ବିଜେଡି ଓ ବିଜେପି ଭିତରେ ଭିତିରିଆ ସଂପର୍କର ଅଭିଯୋଗ ଆଣୁଥିବା କଂଗ୍ରେସକୁ ବି ନବୀନଙ୍କ ନିଷ୍ପତ୍ତି ଚିନ୍ତାରେ ପକାଇ ଦେଇଛି । ୨୦୨୯ ନିର୍ବାଚନ ପାଇଁ ସଜବାଜ ହେଉଥିବା କଂଗ୍ରେସ ଏବେ ଭୋଟ ଚୋରିକୁ ପ୍ରମୁଖ ମୁଦ୍ଦା କରି ଲଢିବାକୁ କସରତ ଜାରି ରଖିବ । ସେପଟେ ନବୀନଙ୍କ ନିଷ୍ପତ୍ତି ଯୋଗୁଁ ବିଜେପିକୁ ଝଟକା ଲାଗିଛି । ବିଜେପି ନେତା ଏବେ ବୁଝି ସାରିଛନ୍ତି ଯେ ବିଜେଡି ଦାୟିତ୍ବବାନ ବିରୋଧୀ ଦଳ ଭାବେ କାମ କରିବ । ହେଲେ କାହାକୁ ସମର୍ଥନ ଦେବ ନାହିଁ । ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବ ।

ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିଜେଡି ତା ଆଭିମୁଖ୍ୟ ସ୍ପଷ୍ଟ କରିଛି । ରାଜ୍ୟ ସ୍ବାର୍ଥ ପାଇଁ ଆଗେଇ ଆସିବ, ରାଜ୍ୟର ସ୍ବାର୍ଥ ବିରୋଧୀ ହେଲେ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବ ।