ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର:  ସୋମବାରଠୁ ଭିଜିବ ଓଡ଼ିଶା । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ତାହା ଆସନ୍ତା ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

ସେପଟେ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା , ପୁରୀ, ଗଜପତି ଓ ଗଞ୍ଜାମକୁ ପ୍ରବଳରୁପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ସେହିପରି ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, ଜଗତସିଂହପରୁ, ମୟୁରଭଞ୍ଜ ଆଦି ଜିଲ୍ଲାକୁ ମଧ୍ୟ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ଫଳରେ  ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଜାରି ରହିବ  । ଲଘୁଚାପ ସମୟରେ ପବନର ବେଗ ୪୦ କିଲୋମିଟର ରହିବ । କେତେକ ସ୍ଥାନରେ ଘଡଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩୦ପ୍ରତିଶତ କମ୍ ବର୍ଷା ହୋଇଛି । ଆସୁଥିବା ଲଘୁଚାପ ନିଅଣ୍ଟିଆ ବର୍ଷାକୁ ସୁଧାରିବାର ଆଶା କରାଯାଉଛି । ସୋମବାର ଠାରୁ ଲଘୁଚାପ ଫଳରେ ବର୍ଷା ହେବା ନେଇ ଆଶା କରାଯାଉଥିବାବେଳେ ରବିବାର ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ବର୍ଷା ହୋଇଛି  ।

Leave a Reply