ବିରାପ୍ପାନ ଝିଅ ହେଲେ ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ

Veerappan’s daughter is now BJP youth wing leader

ଚେନ୍ନାଇ: ବିରାପ୍ପାନଙ୍କ ଝିଅ ହେଲେ ବିଜେପି ଉପାଧ୍ୟକ୍ଷ । କେବେ ୨ଟି ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ସାଜି ଥିବା କୁଖ୍ୟାତ ଅପରାଧୀ ବିରାପ୍ପାନଙ୍କ ଝିଅ ବିଦ୍ୟାରାଣୀ ଏବେ ତାମିଲନାଡ଼ୁ ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ । ବିଦ୍ୟାରାଣୀ ଏହି ବର୍ଷ ଫେବ୍ରୁଆରୀରେ ହିଁ ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପିରେ ସାମିଲ ହେବା ପରେ ବହୁ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ସେତେବେଳେ ବିଦ୍ୟାରାଣୀ କହିଥିଲେ ତାଙ୍କୁ ତାଙ୍କ ବାପାଙ୍କ ସହ ଯୋଡ଼ା ନଯାଇ ଦେଖାଯାଉ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କ ବାପାଙ୍କ ସହ ମାତ୍ର ଥରେ ହିଁ ଭେଟିଛନ୍ତି ।

ଚଳିତ ବର୍ଷ ହିଁ ବିଜେପିରେ ସାମିଲ ହୋଇଥିଲେ

ବିଜେପି ବିରାପ୍ପାନର ଝିଅ ବିଦ୍ୟାରାଣୀକୁ ଯୁବ ମୋର୍ଚ୍ଚାର ତାମିଲନାଡ଼ୁର ଉପାଧ୍ୟକ୍ଷ କରିଛି । କୁଖ୍ୟାତ ଚନ୍ଦନ କାଠ ଓ ହାତୀଦାନ୍ତ ଚୋରି କରୁଥିବା ବିରାପ୍ପାନକୁ ୨୦୦୪ରେ ଏନକାଉଣ୍ଟର କରାଯାଇଥିଲା । ଏହାର ୧୬ ବର୍ଷ ପରେ ଝିଅ ବିଦ୍ୟାରାଣୀ ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି । ବିଦ୍ୟାରାଣୀ ଚଳିତ ବର୍ଷ ଫେବ୍ରୁଆରୀରେ ହିଁ ବିଜେପିରେ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ

୨୯ ବର୍ଷୀୟ ବିଦ୍ୟା ଆଇନରେ ସ୍ନାତକ କରି କୃଷ୍ଣାଗିରିରେ ଛୁଆଙ୍କ ପାଇଁ ସ୍କୁଲ ଚଳାନ୍ତି । ଏହାସହ ସେ ସମାଜ ପାଇଁ କିଛି ଅଧିକ କରିବାକୁ ଚାହୁଁଛନ୍ତି । ବିଦ୍ୟା କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି ।

 ବାପାଙ୍କ ସହ ଥରେ ମାତ୍ର ଭେଟିଥିଲେ ବିଦ୍ୟା

ବିଦ୍ୟା ବିଜେପିରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି ଲୋକେ । ବାପା ବିରାପ୍ପାନଙ୍କୁ ନେଇ ସେ କହିଛନ୍ତି ଯେ, ୨୦୦୪ରେ ସେ ତାଙ୍କ ବାପାଙ୍କୁ ଭେଟିଥିଲେ । ଯେତେବେଳେ ତାଙ୍କ ବାପାଙ୍କ ଏନକାଉଣ୍ଟର ହୋଇଥିଲା । ବିଦ୍ୟାଙ୍କ ଅନୁସାରେ, ପ୍ରାୟ ୭ ବର୍ଷ ବୟସରେ ବାପାଙ୍କ ସହ ତାଙ୍କର ଥରେ ମାତ୍ର ଦେଖା ହୋଇଥିଲା ।

ବୀରାପାନଙ୍କ ଝିଅଙ୍କ ଜରିଆରେ ମାତ୍ର ୨୦ ପ୍ରତିଶତ ଭୋଟ ବ୍ୟାଙ୍କ ସହ ଯୋଡ଼ି ହେବ ବିଜେପି

ଦଳୀୟ ସୁତ୍ର ଅନୁସାରେ, ବିରାପ୍ପାନର ଝିଅ ଜରିଆରେ ବିଜେପି ତାମିଲନାଡ଼ୁରେ ପାଖାପାଖି ୨୦ ପ୍ରତିଶତ ଭୋଟ ବ୍ୟାଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରୁଛି । ଆପଣଙ୍କୁ କହି ରଖୁଛୁ ଯେ, ତାମିଲନାଡ଼ୁରେ ବନ୍ନିୟାର ଏକ ପ୍ରଭାବଶାଳୀ ଜାତି ସମୂହ । ବୀରାପ୍ପାନଙ୍କ ପରିବାର ଏହି ଜାତିର । ତାମିଲନାଡ଼ୁରେ ପଛୁଆ ବର୍ଗରେ ଆସୁଥିବା ଏହି ଜାତି ଜନସଂଖ୍ୟାର ପାଖାପାଖି ୨୦ ପ୍ରତିଶତ ।

Leave a Reply