ଲଗାଣ ବର୍ଷା: କେଉଁଠି ଭୁଷୁଡ଼ିଲା କାନ୍ଥ, କେଉଁଠି ଉପୁଡିଲା ଗଛ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ। ପୁରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ଅଞ୍ଚଳରେ ରାସ୍ତାର ଦୁଇ ଫୁଟ ଉପରେ ପାଣି ଚାଲୁଛି। ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଅବସ୍ଥା ସଙ୍ଗିନ ହେବାର ଆଶଙ୍କା ରହିଛି। ମରୁଡ଼ି ଯୋଗୁଁ ଯେଉଁ ବିଲ ଶୁଖିଲା ପଡ଼ିଥିଲା, ବର୍ତ୍ତମାନ ସମସ୍ତ ଚାଷ ଜମି ବୁଡ଼ି ଯାଇଛି। ଖୋର୍ଦ୍ଧା ବ୍ଲକ ଉଇଲ କିଶନ ନଗର ପଞ୍ଚୟତର ଟାଙ୍ଗିଆ ପଡ଼ା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିଥିବା ଖବର ମିଳିଛି। ସହରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ପାଣି ଲହଡା ମାରୁଛି।

ସେହିପରି ବର୍ଷା କାରଣରୁ କଟକର ଅନେକ ଅଞ୍ଚଳର ଦେଖିବାକୁ ମିଳିଛି କୁତ୍ରିମ ବନ୍ୟା ପରିସ୍ଥିତି। ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ଚାଲିଛି ପାଣି। ସେହିପରି ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିଛି। ବାଦାମବଡି, ମହାନଦୀ ବିହାର, ଚାଉଳିଆଗଞ୍ଜ, ନୂଆପଡ଼ା ସହ ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି। ଜଳ ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି।

ଚାନ୍ଦବାଲି ମୁଖ୍ୟରାସ୍ତାର ପେଟ୍ରୋଲ ଟାଙ୍କି ଠାରୁ ବିକେ ଟକିଜ ସାଲେପୁର କୁଆପାଳ ରୋଡ ଛକରୁ ବୋଦାମୁଣ୍ଡେଇ ବଜାର ପଯ୍ୟନ୍ତ ରାସ୍ତା ଉପରେ ଜମି ରହିଛି। ଫଳରେ ଯାତାୟତରେ ନାନା ସମସ୍ୟା ଦେଖା ଦେଇଛି। ସେପଟେ ଲୁଣାହାର ଚନ୍ଦ୍ରଦେଇପୁର ଗ୍ରାମରେ ଅନେକ ଘରେ ବର୍ଷା ଜଳ ପଶି ଯାଇଛି।

ସେପଟେ ବର୍ଷାରେ ବେହାଲ ହୋଇଛି ବନ୍ଦର ନଗରୀ। ସବୁ ଓ୍ୱାର୍ଡରେ ଘରେ ପଶିଛି ବର୍ଷା ଜଳ। ମାଉସୀ ମାଆ ଛକରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି।  ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। ଫଳରେ କେତେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଉପୁଡି ପଡିଛି।

ପାରାଦୀପର ୧୦, ୧୧, ୧୨ ନମ୍ବର ଓ୍ୱାର୍ଡ ସମେତ ନିୟୁ ଜଗନ୍ନାଥ କଲୋନୀ, ବାଉରିଆପାଳନ୍ଦା, ନୂଆବଜାର କଲୋନୀରେ ଲୋକଙ୍କ ଘରେ ପାଣି ପଶିଯାଇଛି। ଅଧିକ ବର୍ଷା ହେଉଥିବାରୁ ସମସ୍ତ ଡ୍ରେନ ଗୁଡିକ ଅବରୋଧ ହୋଇପଡ଼ିଛି। ବର୍ଷା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହୋଇଛି। ପାରାଦୀପ ମ୍ୟୁନିସିପାଲଟି ତରଫରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ଭଦ୍ରକ ମଧ୍ୟ ବର୍ଷାରେ ବେହାଲ ହୋଇଛି। ବର୍ଷା ପାଣି ଜମିବା ସହ ପବନରେ ୯ ନମ୍ବର ୱାର୍ଡରେ ବିରାଟ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଡ଼ି ଖୁଣ୍ଟ ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି। ଭଦ୍ରକ ପୌରପାଳିକାରେ ପଥରଆଡି ନିକଟରେ ରାସ୍ତା ଉପରେ ବର୍ଷା ଜଳ ଲହଡି ମାରୁଛି। କଣ୍ଟାପାଳ ସମେତ ବିଭିନ୍ନ କଲୋନୀରେ ପାଣି ପଶିଯାଇଛି। ସାଧାରଣରେ ଲୋକମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଡ୍ରେନ୍‌ ସମସ୍ୟା ଥିବାରୁ, ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଅପରିଷ୍କାର ପାଣି ଘରେ ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

Leave a Reply