ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା: ଖୋର୍ଦ୍ଧାରୁ ଗିରଫ ହେଲା ଅଭିଯୁକ୍ତ, ଆଜି ହେବ କୋର୍ଟ ଚାଲାଣ

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା । ଖୋର୍ଦ୍ଧାରୁ ଗିରଫ ହେଲା ଅଭିଯୁକ୍ତ ଜେ. ମହାପାତ୍ର । ଗତକାଲି ସିସିଟିଭି ଯାଞ୍ଚ ବେଳେ ସନ୍ଦିଗ୍ଧ ଯୁବକଙ୍କ ସମ୍ପର୍କରେ ଜଣାପଡ଼ିଥିଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଜେ. ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ । ଯେଉଁଦିନ ରୋଷ ଘର ମଧ୍ୟରେ ଚୁଲି ଭଙ୍ଗା ହୋଇଥିଲା ସେଦିନ ଜେ. ମହାପାତ୍ର ମନ୍ଦିର ଆସିଥିଲା । ନିଜକୁ ଜଗନ୍ନାଥଙ୍କ ଭକ୍ତ ବୋଲି ଦାବି କରିବା ସହ ଭଗବାନଙ୍କ ସେବା ମଧ୍ୟ କରିଥିଲା । ହେଲେ ହଠାତ୍ ତା’ର ମାନସିକ ସ୍ଥିତି ଖରାପ ହୋଇଥିଲା । ମାନସିକ ସ୍ଥିତି ଖରାପ ହେବା ପରେ ରୋଷଘରେ ପଶି ସମସ୍ତ ଚୁଲା ଭାଙ୍ଗିଦେଇଥିଲା । ପ୍ରଥମ ଦିନ ଜେ. ମହାପାତ୍ରକୁ ପଚରାଉଚରାରୁ ପୁରୀ ପୋଲିସକୁ ଏମିତି କିଛି ତଥ୍ୟ ମିଳିଛି । ତେବେ ଜେ. ମହାପାତ୍ରକୁ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଜେ. ମହାପାତ୍ରଙ୍କୁ ବେଗୁନିଆ ଅଞ୍ଚଳରୁ ଗିରଫ କରିବା ପରେ ତାଙ୍କ ପରିବାର ସହ ଆଲୋଚନା କରିଛି ପୋଲିସ । ମାନସିକ ସ୍ଥିତି ନେଇ ମେଡିକାଲ ଟେଷ୍ଟିଂ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପ୍ରେସମିଟରେ ପୁରୀ ଏସପି ସୂଚନା ଦେଇଛନ୍ତି ।