ରାତି ୧୨ଟାରେ ଦୌଡୁଥିବା ଯୁବକଙ୍କ ଉତ୍ତର ଶୁଣିଲେ ପ୍ରେମରେ ପଡିଯିବେ

1 min read

ନୋଏଡା: ଇଣ୍ଡିଆନ ଆର୍ମୀ । ନାଁ ହିଁ ଯଥେଷ୍ଟ । ସେନାରେ ସାମିଲ ହେବାକୁ ଭାରତର ସବୁ ଯୁବବର୍ଗଙ୍କ ଇଚ୍ଛା । ଇଣ୍ଡିଆନ ଆର୍ମୀକୁ ନେଇ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ କେମିତି ତାହା ନୋଏଡା ରାସ୍ତାରେ ଦେଖିବାକୁ ମିଳିଛି । ରାତି ୧୨ଟାରେ ନୋଏଡା ରାସ୍ତାରେ ଜଣେ ଯୁବକ ଦୌଡୁଥିବା ବେଳେ ଲିଫ୍ଟ ନେବାକୁ ମନା କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଲିଫ୍ଟ ନନେବାକୁ ନେଇ ଯାହା କହିଛନ୍ତି, ଶୁଣିଲେ ଆପଣ ବି ତାଙ୍କର ଫ୍ୟାନ୍ ହୋଇଯିବେ । ସୋସିଆଲ ମିଡିଆରେ ଯିଏ ଏହି ଭିଡିଓ ଦେଖୁଛନ୍ତି ‘ମିଷ୍ଟର ଇଣ୍ଡିଆ’ଙ୍କ ଚେଷ୍ଟାକୁ ପ୍ରଶଂସା ନକରି ରହି ପାରୁନାହାନ୍ତି ।

ଯୁବକ ଜଣଙ୍କ ହେଲେ ଉତ୍ତରାଖଣ୍ଡ ଅଲମୋଡା ଅଞ୍ଚଳର ପ୍ରଦୀପ ମେହରା । ବୟସ ମାତ୍ର ୧୯ ବର୍ଷ । ରାତି ୧୨ଟାରେ କାନ୍ଧରେ ଏକ ବ୍ୟାଗ୍ ଝୁଲାଇ ଦୌଡୁ ଥିବା ବେଳେ ଫିଲ୍ମ ପ୍ରଯୋଜକ ବିନୋଦ କାପଡିଙ୍କ ନଜରରେ ପଡିଥିଲେ । ପିଲାଟି ସହ କଥାବାର୍ତ୍ତା ଓ ଦୌଡୁ ଥିବା ବେଳେର ଭିଡିଓ ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଏଥିରେ ସେ ଲେଖିଛନ୍ତି, ‘ନୋଏଡା ରାସ୍ତାରେ ରାତି ୧୨ଟାରେ କାନ୍ଧରେ ବ୍ୟାଗ୍ ଝୁଲାଇ ଏ ପିଲା ଦୌଡୁ ଥିବା ଦେଖିବାକୁ ପାଇଲି । ଭାବିଲି କୌଣସି ସମସ୍ୟାରେ ପଡିଥିବ, ଲିଫ୍ଟ ଦେଇ ଦେବି । ବାରମ୍ବାର ଲିଫ୍ଟ ନେବାକୁ କହିଥିଲେ ବି ସେ ମନା କରି ଦେଇଥିଲା । କାହିଁକି ଲିଫ୍ଟ ନେବନି ପ୍ରଶ୍ନର ଉତ୍ତର ଯାହା ଦେଇଥିଲା ଶୁଶିଲେ ଆପଣ ବି ତାଙ୍କ ପ୍ରେମରେ ପଡିଯିବେ… ।’

ପ୍ରଦୀପଙ୍କୁ ଏମିତି ଦୌଡୁ ଥିବା ଦେଖି ବିନୋଦ ଲିଫ୍ଟ ଦେବାକୁ କହିଥିଲେ । ହେଲେ ସେ ହସି ହସି ଲିଫ୍ଟ ନେବାକୁ ମନା କରି ଦେଇଥିଲେ ଓ ଏମିତି ଦୌଡ଼ି ଦୌଡ଼ି ଘର ପର୍ଯ୍ୟନ୍ତ ଯିବ ବୋଲି କହିଥିଲା । ଏମିତି ଦୌଡ଼ିବାର କାରଣକୁ ନେଇ କହିଥିଲେ, ସେନାରେ ଭର୍ତ୍ତି ହେବାକୁ ଅଭ୍ୟାସ କରୁଛି ।

ପ୍ରଦୀପଙ୍କ କହିବା ଅନୁସାରେ ସେ ଭାରତୀୟ ସେନାରେ ସାମିଲ ହେବାକୁ ଚାହାଁନ୍ତି । ଆର୍ଥିକ ସ୍ଥିତି ଖରାପ ଥିବାରୁ ଓ ମାଆ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ବଡ଼ ଭାଇ ସହ ଆସି ନୋଏଡା ସେକ୍ଟର-୧୬ରେ ମ୍ୟାକ୍ ଡୋନାଲ୍ଡସରେ କାମ କରୁଛନ୍ତି । ସକାଳ ୮ଟାରୁ ଡ୍ୟୁଟି ରହୁଥିବାରୁ ଦିନରେ ଆର୍ମୀ ଟ୍ରେନିଂ ପାଇଁ ସମୟ ପାଇ ନଥାନ୍ତି । ଏଥିପାଇଁ ଡ୍ୟୁଟି ସରିବା ପରେ ରାତିରେ ପ୍ରତିଦିନ ଏମିତି ଦୌଡ଼ି ଦୌଡ଼ି ୧୦ କିମି ଦୂର ନିଜ ରୁମକୁ ଯାଇଥାନ୍ତି ।

https://twitter.com/vinodkapri/status/1505535421589377025?s=20&t=GWjpkG_8HS_-ifNVd-MMOQ

ଭିଡିଓ କରିବା ଭିତରେ ବିନୋଦ ଯୁବକଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ । ଦୌଡ଼ି ଦୌଡ଼ି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରଦୀପ । ତାଙ୍କ ଉତ୍ତର ଶୁଣି ବିନୋଦ ଭାବୁକ ହୋଇ ଯାଇଥିଲେ । ସେ ପୋଷ୍ଟ କରିଥିବା ଏହି ଭିଡିଓ ପାଖାପାଖି ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।