ଅଜବ ଗଜବ ଉତ୍ତରପ୍ରଦେଶ, ଲାଞ୍ଚରେ ନେଲେ ୫ କିଲୋ ଆଳୁ     

ବିହାର :  ଉତ୍ତରପ୍ରଦେଶର କନୌଜରେ ଲାଞ୍ଚ ମାଗୁଥିବା ପୋଲିସ କର୍ମଚାରୀଙ୍କ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଲାଞ୍ଚରେ ଟଙ୍କା ନୁହେଁ ବରଂ ଆଳୁ ମାଗୁଥିବା ଶୁଣିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଅଡିଓ ଭାଇରାଲ ହେବା ପରେ ଏହି ପୋଲିସ ଅଫିସରଙ୍କୁ ସସପେଣ୍ଡ କରି ଦେଇଛନ୍ତି ଏସପି ।

ସୂଚନା ମୁତାବକ, କନୌଜର ସୌରିଖ ଥାନା ଅଧିକାରୀ ଲାଞ୍ଚରେ ୫ କିଲୋ ଆଳୁ ମାଗିଥିବା ଜଣା ପଡିଛି । ଯାହା ପରେ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରି ଦେଇଛନ୍ତି । ଏହି ଲାଞ୍ଚୁଆ ପୋଲିସ ଅଧିକାରୀ ହେଉଛନ୍ତି ଏସଆଇ ରାମକୃପାଲ ।  ଏହି ଭାଇରାଲ ଅଡିଓରେ ସେ ପାଞ୍ଚ କିଲୋ ଆଳୁ ଦେବାକୁ ଡିମାଣ୍ଡ କରିଛନ୍ତି ।  ଏହି ଅଜବ ଗଜବ ଡିମାଣ୍ଡର କଥୋପକଥନରେ ଅଭିଯୋଗକାରୀ ୫ କିଲୋ ଆଳୁ ଦେବାକୁ ଅସମର୍ଥ ଥିବା କହି ଏହା ବଦଳରେ ୨ କିଲୋ ଆଳୁ ଦେଇପାରିବେ ବୋଲି କହିଛି । କିନ୍ତୁ ଏହା ଶୁଣି ରାଗିଯାଇଥିଲେ ପୋଲିସ ବାବୁ। ଶେଷରେ ୩ କେଜି ଆଳୁରେ ମୂଲଚାଲ ଶେଷ ହୋଇଥିଲା । ଏପରି ଲାଞ୍ଚ ଡିଲିଂ କଥାକୁ ନେଇ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ପୋଲିସ ଅଧିକାରୀ ସ୍ୱୀକାର କରିଛନ୍ତି ।

ଅନ୍ୟପକ୍ଷେ ଭାଇରାଲ ଅଡ଼ିଓରେ ଥାନା ଅଧିକାରୀ କୌଣସି କାମକୁ ନେଇ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା  । ସେଥିପାଇଁ ଏହାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା କରାଯାଉଛି । ଅନେକ ଲୋକ ଆଳୁକୁ କୋଡ ଓ୍ୱାଡ୍ ବୋଲି କହୁଛନ୍ତି । ଯାହାଦ୍ୱାରା ପରିବା ନାଁରେ ଅନ୍ୟକିଛି ଡିଲ୍ କରାଯାଉଥିବା ଚର୍ଚ୍ଚା ହେଉଛି ।