ବିନା ଅନୁମତିରେ ଛୁଟିରେ ଯାଇଥିଲେ, ସରକାର ସସପେଣ୍ଡ କରିଦେଲେ
1 min readନୂଆଦିଲ୍ଲୀ: IPS ଅଧିକାରୀଙ୍କ ବିରୋଧରେ ୟୁପି ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଚାକିରୀରୁ ସସପେଣ୍ଡ କରିଦେଲେ ସରକାର । କାରଣ ମଧ୍ୟ ସେହିଭଳି । IPS ଅଧିକାରୀ ଅଳଙ୍କୃତା ସିଂହ ସରକାରଙ୍କ ବିନା ଅନୁମତିରେ ଛୁଟି କାଟିବାକୁ ଯାଇଛନ୍ତି । ତାହା ପୁଣି ଲଣ୍ଡନ । ତେଣୁ ବିନା ଅନୁମତି ଏବଂ ଆବେଦନରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଲଣ୍ଡନରେ ଛୁଟି କାଟିବା ଖବର ଯେତିକି ରୋଚକମୟ । ସରକାର ପାଇଁ ସେତିକି ଗିରିତ୍ୱପୂର୍ଣ୍ଣ ମଧ୍ୟ । ତେଣୁ ସମସ୍ତ ଘଟଣାକ୍ରମକୁ ଅବଲୋକନ କରି ୟୁପି ସରକାର ତାଙ୍କୁ ଚାକିରୀରୁ ସସପେଣ୍ଡ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଉକ୍ତ ଅଧିକାରୀ ଜଣଙ୍କ କିଛିଦିନ ହେବ ନିଜ ପଦବୀରୁ ନିଖୋଜ ଥିଲେ । ୧୯ ଅକ୍ଟୋବରରୁ ଛୁଟିରେ ରହିଥିଲେ । ଯେ ଅଳଙ୍କୃତା ସିଂହ କେଉଁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ମଧ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନଥିଲା । ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ପୋଲିସ ଅଧିକାରୀ ଜଣଙ୍କ ଲଣ୍ଡନରେ ଛୁଟି କାଟୁଛନ୍ତି । ୟୁପି ବିଧାନସଭା ନିର୍ବାଚନରେ ଅଧିକାରୀ ଜଣଙ୍କ ଭାଗ ନେଇନଥିବାବେଳେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରିନଥିଲେ । ଲଣ୍ଡନରେ ରହୁଥିବା ନେଇ ହ୍ୱାଟସଅପ ଜରିଆରେ ନିକଟସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ଅଳଙ୍କୃତା ।
କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଆଇପିଏସ ଅଫିସର ଯଦି ଛୁଟିରେ ଯାଆନ୍ତି, ତେବେ ତାଙ୍କୁ ପ୍ରଥମେ ଅବଗତ କରାଇବାକୁ ପଡ଼େ । ଅନୁମତି କ୍ରମେ ସେ ଛୁଟିରେ ଯିବା ନେଇ ଆଇନ ରହିଛି । କିନ୍ତୁ ଦୀର୍ଘ ଦିନ ହେବ ବିନା ଅନୁମତିରେ ଛୁଟିରେ ରହିଆସୁଥିଲେ ଉକ୍ତ ଅଧିକୀରୀ । ୨୦୦୮ ମସିହାରେ ଆଇପିଏସ ହୋଇଥିଲେ ଅଳଙ୍କୃତା । ମହିଳା ଏବଂ ଶିଶୁ ସୁରକ୍ଷା ସଂଗଠନର ଅଧିକାରୀ ଭାବେ ଉତ୍ତରପ୍ରଦେଶ ସରକାର ଦାୟିତ୍ୱ ପ୍ରଦାନ କରିଥିଲେ । ଏଥିରୁ ସେ ନିବୃତ୍ତ ରହିବା ସହ ନିଖୋଜ ରହିଥିଲେ । ତେଣୁ ଆଇନ ମୁତାବକ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।