ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କଲା ଋଷ

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ସହିତ ଯୁଦ୍ଧ ବିରତି ଘୋଷଣା କଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମେ’ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସେ ତିନି ଦିନିଆ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ମାନବୀୟ କାରଣ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୁଟିନ । ତେବେ ଋଷ ପକ୍ଷରୁ କୁହାଯାଇଛି, ୟୁକ୍ରେନ୍ ଏହି ଅସ୍ତ୍ରବିରତି ପାଳନ କରିବ । ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ ତା’ର କଡ଼ା ଜବାବ ଦିଆଯିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଦିନ ମେ’ ୯ ତାରିଖରେ ଋଷର ବିଜୟ ଦିବସରେ ଏହି ଯୁଦ୍ଧ ବିରତି ଲାଗୁ ହେଉଛି । ଏହା ଆଗରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ଆହ୍ଵାନ ଦେଇଥିଲେ ଯୁଦ୍ଧ ବନ୍ଦ ହେଉ । ୟୁକ୍ରେନର ବେସାମରିକ ଅଞ୍ଚଳ ଉପରେ ଋଷ ବୋମାମାଡ଼ ଜାରି ରଖି ଥିବାରୁ ଏହାକୁ ନିନ୍ଦା କରିଥିଲେ ଟ୍ରମ୍ପ । ଏହା ଆଗରୁ ଏପ୍ରିଲ ୨୦୨୫ରେ ପୁଟିନ ଏକପାଖିଆ ଇଷ୍ଟର ଯୁଦ୍ଧ ବିରତି ଘୋଷଣା କରିଥିଲେ । ଏହା ମାତ୍ର ୩୦ ଘଣ୍ଟା ତିଷ୍ଠି ଥିଲା । ୟୁକ୍ରେନ କହିଛି, ଯଦି ଋଷ ସତରେ ଶାନ୍ତି ଚାହୁଁଛି ତେବେ ତୁରନ୍ତ ୩୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିବା ଉଚିତ ଥିଲା । ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ ମଧ୍ୟ କହିଛି ସ୍ଥାୟୀ ଅସ୍ତ୍ରବିରତି ହେବା ଉଚିତ ।