ଆମେରିକାରେ ମଣିଷକୁ ବ୍ୟାପିଲା ଏଚ୍‌୫ ବାର୍ଡ ଫ୍ଲୁ

1 min read

ୱାଶିଂଟନ: ଆମେରିକା କୋଲୋରାଡର ଜଣେ ବ୍ୟକ୍ତି ଏଚ୍‌୫ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ୟୁଏସସିଡିସି) ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ସିଧାସଳଖ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏଚ୍‌୫ଏନ୍‌୧ ସଂକ୍ରମିତ ପକ୍ଷୀଙ୍କୁ ମାରୁଥିଲେ । ଏଚ୍‌ ୫ ବାର୍ଡ ଫ୍ଳୁ ଭୂତାଣୁ ମନୁଷ୍ୟକୁ ସଂକ୍ରମିତ କରିବାର ଏହା ଦ୍ୱିତୀୟ ଏବଂ ଆମେରିକାର ପ୍ରଥମ ମାମଲା ।

କୋଲୋରାଡୋ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ପକ୍ଷୀଙ୍କ ସଂସ୍ପର୍ଶରେ କିମ୍ବା ଆଭିଏନ ଫ୍ଲୁ ତଥା ଏଚ୍‌୫ଏନ୍‌୧ ଫ୍ଲୁରେ ସଂକ୍ରମିତ ଜଙ୍ଗଲୀ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଏଚ୍‌ ୫ ସଂକ୍ରମଣର ଶିକାର ହୋଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ନାହିଁ । ଏବେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି।

ଏହାପୂର୍ବରୁ ଚାଇନାରେ ମଣିଷ ଦେହରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା । ପ୍ରଥମେ ଜଣେ ବାଳକଙ୍କ ଦେହରେ H3N8 ଭୂତାଣୁ ଦେଖା ଦେଇଥିଲା । ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଏକ ବୟାନରେ ଏହା କୁହାଯାଇଛି । କରୋନା ଭଳି ଏହା କିନ୍ତୁ ଏତେ ଭୟଙ୍କର ନୁହେଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହି ଭୁତାଣୁକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ସ୍ବାସ୍ଥ୍ୟ ଅଧିକାରୀ ।