ପରାଜୟ ସ୍ୱୀକାର କରିବାକୁ ନାରାଜ ! ‘ରେକର୍ଡ ସଂଖ୍ୟକ ଭୋଟ ପାଇଛି, ମୁଁ ଜିତିଛି’

1 min read
Trump

ୱାସିଂଟନ୍: ଗୋଟିଏ ପଟେ ଡେମୋକ୍ରାଟ୍ ଦଳର ଜୋ ବାଇଡେନ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଆମେରିକା ଖୁସି ମନାଉଛି । ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ‌ ବି ନିର୍ବାଚନରେ ପରାଜୟକୁ ସ୍ୱୀକାର କରୁନାହାନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ତାଙ୍କୁ ୭୧ ହଜାର ଲିଗାଲ ଭୋଟ୍‌ ମିଳିଛି । ତେଣୁ ସେ ହାରି ନାହାନ୍ତି । ବାଇଡେନଙ୍କ ବିଜୟ ଘୋଷଣାର ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନୀରବ ରହିବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବଡ଼ ଧରଣର ଅନୀୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ‘ପର୍ଯ୍ୟବେକ୍ଷକଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ । ଏହି ନିର୍ବାଚନ ମୁଁ ହିଁ ​​ଜିତିଛି । ମୋତେ ୭ କୋଟି ୧୦ ଲକ୍ଷ ଭୋଟ ମିଳିଛି । ଏହି ସମସ୍ତ ପ୍ରକ୍ରିୟା ସମୟରେ ଅନେକ ଅନୀୟମିତତା ହୋଇଛି, ପର୍ଯ୍ୟବେକ୍ଷକମାନଙ୍କୁ ସେଥିପାଇଁ ଗଣନା କକ୍ଷରୁ ଦୂରେଇ ରଖାଗଲା । ଆମେରିକା ନିର୍ବାଚନ ଇତିହାସରେ ଏଭଳି ଘଟଣା ପୂର୍ବରୁ ଘଟିନଥିଲା ।

ମେଲ-ଇନ୍ ବାଲାଟ୍ ମାଧ୍ୟମରେ ଜାଲିଆତି ହୋଇଥିବା କଥା ଟ୍ରମ୍ପ ପୁଣି ଦୋହରାଇଛନ୍ତି । ଟୁଇଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କୁ ମେଲ-ଇନ୍ ବାଲାଟ୍ ପଠାଯାଇଥିଲା, ଯାହାକୁ ସେମାନେ କେବେ ମାଗିନଥିଲେ । ଟ୍ରମ୍ପ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ସେ ୭ କୋଟି ୧୦ ଲକ୍ଷ ଭୋଟ ପାଇଛନ୍ତି । ଯାହାକି ଆମରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଏକ ରେକର୍ଡ । ପୂର୍ବରୁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀ ଏତେ ସଂଖ୍ୟାରେ ଭୋଟ୍‌ ପାଇ ନାହାନ୍ତି ।

ଦୁଇ ଦିନ ପୂର୍ବରୁ ନିଜକୁ ବିଜୟ ଘୋଷଣା କରିଥିଲେ ଟ୍ରମ୍ପ

ଦୁଇ ଦିନ ପୂର୍ବରୁ ଟ୍ରମ୍ପ ନିଜେ ନିଜକୁ ବିଜୟ ଘୋଷଣା କରିଥିଲେ । ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ବିଜୟ ଦାବି କରିବା ସହ ଫର୍ଜି ଭୋଟ୍‌ ଦ୍ୱାରା ନିର୍ବାଚନକୁ ଚୋରି କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଟ୍ରମ୍ପ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଲିଗାଲ ଭାବେ ଭୋଟ ଗଣତି କରାଯାଏ ତେବେ ସେ ନିଶ୍ଚୟ ବିଜୟ ହାସଲ କରିବେ । କିନ୍ତୁ ଯଦି ଆପଣ ମେଲ୍ ବାଲାଟ୍‌ ଗଣତି କରିବେ ତେବେ ଡେମୋକ୍ରାଟ୍‌ ମାନେ ବିଜୟ ଛଡ଼ାଇନେବାକୁ ଚେଷ୍ଟା କରିବେ । ସେ କହିଛନ୍ତି, ଆଶ୍ଚର୍ଯ୍ୟର କଥା, ମେଲ ଇନ୍‌ ବାଲାଟରେ ଏକ ପାଖିଆ ଭାବେ ଭୋଟ୍‌ କିଭଳି ଆସିବ ? ଏଥିପାଇଁ ତାଙ୍କ ମନରେ ସନ୍ଦେହ ଉପୁଜିଛି । ଏହା ଏକ ଭ୍ରଷ୍ଟାଚାର ପ୍ରଥା, ଏହା ଦ୍ୱାରା ଲୋକ ମଧ୍ୟ ଭ୍ରଷ୍ଟାଚାରୀ ହୋଇଯିବେ ।

Leave a Reply