ବଦ୍ରିନାଥ ଧାମ ନିକଟରେ ତାଙ୍କ ନାମରେ ମନ୍ଦିର ଥିବା ଦାବି କରି ଟାହିଟାପରାର ହେଲେ ଶିକାର ଅଭିନେତ୍ରୀ ଉର୍ବଶୀ

ନନ୍ଦିଘୋଷ ବ୍ୟୁରୋ: ଉର୍ବଶୀଙ୍କ ନାଁରେ ମନ୍ଦିର । ଏହି କଥାଟି ଯେତେ ଆଶ୍ଚର୍ଯ୍ୟଜନକ ସେତିକି ବିବାଦୀୟ । ଭାରତୀୟ ସିନେମାରେ ଦିନକୁ ଦିନ ଖାସ୍ ପରିଚୟ ହାସଲ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ଆଉ ଏକ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଉର୍ବଶୀ କହିଛନ୍ତି, ତାଙ୍କ ସମ୍ମାନରେ ଉତ୍ତର ଭାରତରେ ଏକ ମନ୍ଦିର ନିର୍ମିତ ହୋଇଛି । ଲୋକେ ମନ୍ଦିରରେ ତାଙ୍କୁ ପୂଜା କରୁଛନ୍ତି । ‘ଉର୍ବଶୀ ମନ୍ଦିର’ ନାମରେ ସେହି ମନ୍ଦିର ପରିଚିତ । ତାଙ୍କ କହିବାନୁସାରେ ଯଦି ଆପଣ ବଦ୍ରୀନାଥ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି ତାହେଲେ ସେହି ନିକଟରେ ଏହି ମନ୍ଦିର ଅବସ୍ଥିତ । ତେବେ ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ଏହି ମନ୍ଦିର କାହିଁକି ଏତେ ପ୍ରସିଦ୍ଧ ଏବଂ ପୌରାଣିକ କାହାଣୀ କ’ଣ ..
ଉତ୍ତରାଖଣ୍ଡରେ ‘ଉର୍ବଶୀ ମନ୍ଦିର’
ଉର୍ବଶୀ ମନ୍ଦିର ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଳାର ବଦ୍ରୀନାଥ ଧାମ ନିକଟସ୍ଥ ବାମଣୀ ଗାଁରେ ଅବସ୍ଥିତ । ଏହି ମନ୍ଦିରଟି ଅପସରୀ ଉର୍ବଶୀଙ୍କ ନାଁରେ ସମର୍ପିତ । ଏହି ମନ୍ଦିରରେ ଅପସରୀ ଉର୍ବଶୀଙ୍କ ମୂର୍ତ୍ତିକୁ ସ୍ଥାପିତ କରାଯାଇଛି । ମାତାଙ୍କ ଏହି ମନ୍ଦିର ନୀଳକଣ୍ଠ ପର୍ବତ ଏବଂ ନାରୟଣ ପର୍ବତ ପାଦଦେଶରେ ନିର୍ମିତ । ଏହାସହିତ ଏହି ମନ୍ଦିର ନିକଟରେ ବହିଯାଉଥିବା ଋଷି ଗଙ୍ଗା ଝରଣା ଏହି ସ୍ଥାନକୁ ଆହୁରି ଆକର୍ଷିତ କରିଥାଏ । ପୌରାଣିକ କଥା ଅନୁସାରେ ଦେବୀ ଉର୍ବଶୀ ବଦ୍ରିକାଶ୍ରମରେ ଭଗବାନ ବିଷ୍ଣୁଙ୍କ ବାମ ଜଙ୍ଘରୁ ସୃଷ୍ଟି ହୋଇଥିଲେ । ଯିଏକି ନାରାୟଣଙ୍କ ଭକ୍ତିରେ ଲୀନ ଥିଲେ ।
ମନ୍ଦିର ସହିତ ପୌରାଣିକ ସମ୍ପର୍କ
ଏହି ମନ୍ଦିରର ସମ୍ପର୍କ ବୈଦିକ କାଳରୁ ଯୋଡି ହୋଇ ଆସିଛି । ପଦ୍ମପୁରାଣର ଏକ କଥା ଅନୁସାରେ ନର ତଥା ନାରାୟଣ ସଂସାରର କଲ୍ୟାଣ ପାଇଁ ହିମାଳୟ ପର୍ବତ ଉପରେ ବଦ୍ରିକାଶ୍ରମ ତୀର୍ଥରେ ଗଙ୍ଗାର ନିର୍ମଳ ତଟ କୂଳରେ ତପସ୍ୟା କରୁଥିଲେ । ତେବେ ଏନେଇ ଦେବରାଜ ଇନ୍ଦ୍ର ଚିନ୍ତିତ ହୋଇଗଲେ । ତାଙ୍କୁ ଭୟ ଥିଲା କି ନାରାୟଣ ତାଙ୍କ ସିଂହାସନକୁ ଯେମିତି ଅକ୍ତିୟାର ନକରିନିଅନ୍ତୁ । ସେଥିପାଇଁ ତାଙ୍କ ତପସ୍ୟା ଭଙ୍ଗ କରିବାକୁ ଇନ୍ଦ୍ରଦେବ ତାଙ୍କୁ ମୋହିତ କରିବା ପାଇଁ ରମ୍ଭା ଆଦି ଅପସରାଙ୍କୁ ସେଠାକୁ ପଠାଇଥିଲେ । ଏହାକୁ ଦେଖି ନାରାୟଣ ହସିକି ନିଜ ଜଙ୍ଘରେ ଏକ ସୁନ୍ଦର ତରୁଣୀ ଚିତ୍ର ଆଙ୍କିଲେ ଯାହାକୁ ଜୀବନଦାନ ଦେଇ ସୁନ୍ଦର ତରୁଣୀରେ ପରିଣତ କରିଦେଲେ । ସେହି ସୁନ୍ଦରୀଙ୍କୁ ଦେଖି ସ୍ବର୍ଗର ଅପସରୀ ମଧ୍ୟ ଲଜ୍ଜିତ ହୋଇଯାଇଥିଲେ ।
ଏହାପରେ ନାରାୟଣ ଅପସରୀ ମାନଙ୍କୁ କହିଲେ ଯେ ଏ ଅପସରୀ ମୋ ଜଙ୍ଘରୁ ଉତ୍ପନ୍ନ ହୋଇଛନ୍ତି ଏବଂ ଏହାକୁ ନେଇ ଇନ୍ଦ୍ରଦେବଙ୍କୁ ଦେଇଦିଅ ।ଏହା କହିବା ପରେ ସମସ୍ତେ ଭୟରେ ତାଙ୍କୁ ନେଇ ସ୍ବର୍ଗକୁ ପଳେଇଲେ ଏବଂ ଇନ୍ଦ୍ରଙ୍କୁ ପ୍ରଦାନ କଲେ । ଏହା ପରେ ନାରାୟଣ ଇନ୍ଦ୍ରଙ୍କୁ ସ୍ପଷ୍ଟ କଲେ ଯେ, ମୁଁ କେବଳ ଆଧ୍ୟାତ୍ମିକତା ଉଦ୍ଦେଶ୍ୟ ପାଇଁ ସାଧନା ଏବଂ ତପସ୍ୟା କରୁଛି । ତେଣୁ ଭଗବାନ ନାରାୟଣଙ୍କ ନାଁରେ ସେହି ତରୁଣୀଙ୍କ ନାଁ ଉର୍ବଶୀ ରଖାଯାଇଥିଲା ।