ଭୁବନେଶ୍ବର:“ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।”। ଆଜି ବିଜେପି ସେହି ମାଆ ମାଟି ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି । ୨୦୦୪ରେ ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଓରିସେଡ ଆଇନ ଆଣିଥିଲେ । ଏହା ବିରୋଧରେ ଖଣି ମାଲିକମାନେ ସୁପ୍ରିମକୋର୍ଟ ଗଲେ । ୨୦୨୪ରେ ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ନିଷ୍ପତ୍ତି ଦେଲେ । ନିଷ୍ପତ୍ତି ଅନୁସାରେ ଓଡ଼ିଶା ଏକ ଲକ୍ଷ କୋଟି ପାଇଥାନ୍ତା । ଋଣମୁକ୍ତ ହୋଇପାରିଥାନ୍ତା ଓଡ଼ିଶା । ରୋଜଗାର ମିଳିଥାନ୍ତା । ପେନସନ ମିଳିଥାନ୍ତା । ପେନସନ ହାର ବୃଦ୍ଧି ହୋଇପାରିଥାନ୍ତା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଚାଷୀଙ୍କୁ ଲାଭ ମିଳିଥାନ୍ତା । ଚାଷୀ ଋଣମୁକ୍ତ ହୋଇ ପାରିଥାନ୍ତା । ଜଳ ସେଚନ ପ୍ରକଳ୍ପ, ଅନ୍ତର୍ଜାତୀୟସ୍ତରର ସ୍କୁଲ, ମଧ୍ୟାହ୍ନ ସହ ପ୍ରାତଃଭୋଜନ, ମେଟ୍ରୋ ହୋଇ ପାରିଥାନ୍ତା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥାନ୍ତେ । ନିଜ ରାଜସ୍ୱ ନିଜ ରାଜ୍ୟରେ ଖର୍ଚ୍ଚ ହୋଇ ପାରିଥାନ୍ତା । ବର୍ଷ ବର୍ଷ ଧରି ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା ଓଡ଼ିଶା । ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଥାନ୍ତା । କଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଲେ ଏହାର ଜବାବ ଦିଅନ୍ତୁ । ଏପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲୋୟର ପିଏମଜିରୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ ବେଳେ ଏପରି ଟାର୍ଗେଟ କରିଛନ୍ତି ସୁଜାତା । ସେ କହିଛନ୍ତି, ନିଜ ପରିଶ୍ରମରେ ଅର୍ଥ ଆସିଥାନ୍ତା । ପରିବାର ଋଣମୁକ୍ତ ହୋଇଥାନ୍ତା । ହେଲେ ବିଜେପି କହିଲା ଆମ ପାଖରେ ଭଣ୍ଡାର ଅଛି ଯାହା ଦେବା କଥା ପଡୋଶୀଙ୍କୁ ଦିଅନ୍ତୁ । ଏ ମୁରବୀଙ୍କୁ କି ଦଣ୍ଡ ଦିଆଯିବ ଜବାବ ମାଗିଛନ୍ତି ସୁଜାତା । ବିଜେପି ଅନ୍ୟାୟ କରିଛି । ଖଣି ଟଙ୍କା କାହିଁକି ବିଜେପି ଫେରାଇଲା ? ଉଦ୍ଦେଶ୍ୟ କଣ ? ବିଜେପି ସାଂସଦ କହୁଛନ୍ତି, ଖଣି ରାଜସ୍ୱ ଯଥେଷ୍ଟ ମିଳୁଛି । ମିଛ କହୁଛନ୍ତି ବିଜେପି ନେତା ଓଡ଼ିଶାକୁ ଠକୁଛନ୍ତି ବିଜେପି ସରକାର । ନବୀନ ପଟ୍ଟନାୟକଙ୍କ କାମ ପାଇଁ ଖଣି ୫୦ ହଜାର କୋଟି ହୋଇଛି । କର୍ଣ୍ଣାଟକର ନୁହେଁ ଓଡ଼ିଶାର ଖଣି ରାଜସ୍ୱ ବଢିଥିବା ନିଜେ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି ଏହା ପ୍ରମାଣ ହୋଇଗଲା । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାର ନ ମିଳିଛି ସେପର୍ଯ୍ୟନ୍ତ ବିଜେଡି ଏହି ଲଢେଇ ଜାରି ରଖିବ । ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସୁଜାତା ।

