ୟୁପିଆଇ କାରବାରରେ ଲାଗିବନି ଶୁଳ୍କ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଡିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ଲୋକମାନେ ଏହା ଜରିଆରେ ଅର୍ଥ ଦେଣ ନେଣ କରୁଛନ୍ତି । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଏହି ମାଧ୍ୟମରେ ଗ୍ରାହକଙ୍କ ଠାରୁ ଅର୍ଥ ଗ୍ରହଣ କରୁଛନ୍ତି । ଅଧିକାଂଶ ଆର୍ଥିକ କାରବାର ଏବେ ନଗଦ ଅର୍ଥ କିମ୍ବା କାର୍ଡ ପରିବର୍ତ୍ତେ ୟୁପିଆଇ ମାଧ୍ୟମରେ ହେଉଛି । ଏହା ସୁବିଧାଜନକ ଓ ଆର୍ଥିକ କାରବାର ଶୀଘ୍ର ହେଉଥିବାରୁ ଏହାର ବ୍ୟବହାର ବଢ଼ିବାରେ ଲାଗିଛି ।

ତେଣୁ ଏସବୁ ଦୃଷ୍ଟିରେ ରଖି ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବା ଯୋଜନା ନାହିଁ । ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ପରେ ଚାର୍ଜ ଲାଗିବା ନେଇ ଦେଖାଦେଇଥିବା ଆଶଙ୍କାକୁ ଅର୍ଥ ମନ୍ତ୍ରାଳୟ ଦୂର କରିଛି । ସେବା ପ୍ରଦାନକାରୀ ଏ ବାବଦରେ ଯେଉଁ ଆର୍ଥିକ ବୋଝ ସହୁଛନ୍ତି ତାହାକୁ ଅନ୍ୟ ମାଧ୍ୟମରେ ପୂରଣ କରାଯିବ । ୟୁପିଆଇ ଏକ ଡିଜିଟାଲ ପବ୍ଲିକ ଗୁଡ୍। ଲୋକ ଏବଂ ଅର୍ଥନୀତି ପାଇଁ ଏହାର ଅନେକ ଉପକାର ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ଟ୍ବିଟ୍ କରି କହିଛି ।

ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପେମେଣ୍ଟ ସେବା ପାଇଁ କିଭଳି ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ ସେ ନେଇ ଏକ ପରାମର୍ଶ ପେପର ଜାରି ହୋଇଛି । ଏହା ଉପରେ ବିଭିନ୍ନ ପକ୍ଷର ମତାମତ ଲୋଡ଼ାଯାଇଛି । ଭାରତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକାର ପେମେଣ୍ଟ ବ୍ୟବସ୍ଥା ଉପରେ ଚାର୍ଜ ଲାଗୁ କରି ଏସବୁର ଢାଞ୍ଚାକୁ ମଜଭୁତ କରିବା ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା ରହିଛି । ଏହି ପ୍ରସ୍ତାବ ଉପରେ ଯେଉଁ ମତାମତ ଆସିବ ତାହା ଆଧାରରେ ରିଜର୍ଭ ବ୍ୟାଙ୍କ ନୀତି ପ୍ରସ୍ତୁତ କରିବା ଲାଗି ଉଦ୍ୟମ କରିବ । ଏବଂ ବିଭିନ୍ନ ପ୍ରକାର ପେମେଣ୍ଟ ସର୍ଭିସକୁ ଅଧିକ ମଜଭୁତ କରିବ ।