ନୂଆ ସ୍ଥଳ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିଓ୍ବେଦୀ

ନୂଆଦିଲ୍ଲୀ: ଦେଶର ନୂଆ ସ୍ଥଳ ସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ । ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ । ଆଜି ସ୍ଥଳ ସେନାଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଦେଶର ୩୦ତମ ସ୍ଥଳ ସେନାଧ୍ୟକ୍ଷ ହେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ।

ଦେଶରେ ବର୍ତ୍ତମାନ ସ୍ଥଳସେନାର ଆଧୁନିକୀକରଣ ଏବଂ ବ୍ୟବସ୍ଥା ପରିବର୍ତ୍ତନ ଜାରି ରହିଥିବାବେଳେ ଏହି ସମୟରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ । ୧୯୮୪ରେ ସେନାର ଜମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ । ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେବା କରି ଆସୁଛନ୍ତି । ମଧ୍ୟପ୍ରଦେଶ ରିୱା ସୈନିକ ସ୍କୁଲ ଛାତ୍ର ହେଉଛନ୍ତି ଉପେନ୍ଦ୍ର ।

ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ନେବା ପରେ ଦୁଇ ସାଙ୍ଗ ଦେଶର ଦୁଇ ସେନାବାହିନୀର ମୁଖିଆ ହୋଇଛନ୍ତି । ଦେଶରେ ପ୍ରଥମ ଥର ଲାଗି ଦୁଇ ସହପାଠୀ ଦୁଇ ସେନାମୁଖ୍ୟ ଦାୟିତ୍ଵ ଭାର ସମ୍ଭାଳିଲେ । ଏବେ ଭାରତୀୟ ନୌବାହିନୀର ମୁଖ୍ୟ ଅଛନ୍ତି ଆଡମିରାଲ ଦୀନେଶ ତ୍ରିପାଠୀ । ଆଜି ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ନୂଆ ଆର୍ମି ଚିଫ୍ ହୋଇଛନ୍ତି । ଉଭୟ ମଧ୍ୟପ୍ରଦେଶର ରିୱା ସୈନିକ ସ୍କୁଲରେ ପଞ୍ଚମ ଶ୍ରେଣୀରୁ ମିଶି ପାଠ ପଢୁଥିଲେ ।