ପତ୍ନୀଙ୍କ ମାଡ ଭୟରେ ତାଳଗଛରେ ଚଢିଗଲେ ପତି, ଖାଇବା ଶୋଇବା ସବୁ ସେଇଠି

ଲକ୍ଷ୍ନୌ: ପତ୍ନୀଙ୍କ ଡରରେ ଗଛ ଉପରେ ଚଢିଗଲେ ପତି । ମାଡ ଭୟରେ ୧୦୦ ଫୁଟ ଉଚ୍ଚ ଗଛ ଉପରେ ଚଢି ବସିଛନ୍ତି ଉତ୍ତର ପ୍ରଦେଶର ରାମ ପ୍ରବେଶ  । ଗଛ ହି ସାଜିଛି ରାମଙ୍କ ଘର ଠିକଣା  । ସେଇଠି ଖାଇବା, ରହିବା, ଶୋଇବା  । ରାମଙ୍କ ସବୁକିଛି ବିତୁଛି ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ତାଳ ଗଛ ଉପରେ  । ଏମିତି ବିଚିତ୍ର ଘଟଣା ମଉ ଜିଲ୍ଲା କୋପାଗଞ୍ଚର ବସାରଥପୁରରେ ଦେଖିବାକୁ ମିଳିଛି  । ଏଠାରେ ରହୁଥିବା ରାମ ପ୍ରବେଶଙ୍କ ତାଙ୍କ ପତ୍ନୀଙ୍କ ସହ ସବୁବେଳେ ଝଗଡା ଲାଗି ରହୁଥିଲା  ।

ବେଳେବେଳେ ଏହି ବିବାଦ ମାଡଗୋଳରେ ବି ପହଞ୍ଚି ଯାଉଥିଲା  । ପତ୍ନୀଙ୍କ ମାଡରୁ ରକ୍ଷା ପାଇବା ପାଇଁ ଦିନେ ପତି ଘର ପାଖରେ ଥିବା ଏକ ତାଳ ଗଛରେ ଚଢି ଯାଇଥିଲେ  । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତାଳଗଛର ଉଚ୍ଚତା ପାଖାପାଖି ୧୦୦ ଫୁଟ ହେବ  ।  ରାତି ହେଲେ ରାମ ଗଛରୁ ଓହ୍ଲାଇ ନିଜ ନିତ୍ୟକର୍ମ ସାରି ପୁଣି ଗଛ ଉପରେ ଚଢି ଯାଆନ୍ତି  ।

ଯଦି କେହି ଗ୍ରାମବାସୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି ତା କଥା ବି ଶୁଣିବାକୁ ନାରାଜ୍‌ ରାମ  । ଗଛରୁ ଓହ୍ଲାଇବା ତ ଦୂରର କଥା ବରଂ ସେ ଗ୍ରାମବାସୀଙ୍କୁ ଟେକା ପଥର ମାଡ କରିଥାନ୍ତି  । ସେପଟେ ରାମ ଗଛ ଉପରେ ରହୁଥିବାରୁ ତାଙ୍କ ବିରୋଧରେ ବି ଅଭିଯୋଗ କରିବା ଆରମ୍ଭ କଲେଣି ସ୍ଥାନୀୟ ମହିଳା  ।

କାରଣ ଏତେ ଉଚ୍ଚତାରେ ରହୁଥିବାରୁ ନିକଟସ୍ଥ ଘରର ଅଗଣା ଗୁଡିକ ଗଛ ଉପରୁ ଦେଖାଯାଇଥାଏ  । ଯେଉଁଠାରେ ସାଧାରଣତଃ ମହିଳା ମାନେ ନିତ୍ୟକର୍ମ ସାରିଥାନ୍ତି  । ରାମଙ୍କ ଏଭଳି କାର୍ଯ୍ୟକଳାପରେ ଉତକ୍ଷିପ୍ତ ହୋଇ ଗାଁ ମୂରବୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା  ।