ସେଦିନ ୟଶପାଲ ଯଦି ‘କାନ୍ଥ’ ହୋଇ ଛିଡା ହୋଇନଥାନ୍ତେ ତେବେ ୧୯୮୩ ବିଶ୍ୱକପର ଇତିହାସ ଅଲଗା ହୋଇଥାନ୍ତା

ନୂଆଦିଲ୍ଲୀ:  ୧୯୮୩  କ୍ରିକେଟ୍ ବିଶ୍ୱକପ ବିଜୟ ସହିତ ଭାରତ କ୍ରିକେଟ ଦୁନିଆର ଗୋଟିଏ ଶକ୍ତି ଭାବେ ଉଭା ହୋଇଥିଲା । ଅଣ୍ଡରଡଗ୍ କୁହାଯାଉଥିବା ଭାରତୀୟ ଟିମ୍ କ୍ରିକେଟ ବିଶାରଦଙ୍କୁ ଚମକାଇ ଦେଇଥିଲା ନିଜ ପ୍ରଦର୍ଶନ ଦ୍ୱାର । ଭାରତୀୟ ଟିମ୍ କୁ କେହିମଧ୍ୟ ଟାଇଟଲର ଦାବିଦାର ବୋଲି ବିଚାର କରୁନଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ଭାରତୀୟ ଟିମ୍ ବଡଧରଣର ହଟଚମଟ ସୃଷ୍ଟି କରିବାରେ ସଫଳ ହୋଇଥିଲା । କ୍ରିକେଟ ଜଗତର ଦ ଅନବ୍ରେକବୁଲ ଭାବେ ପରିଚିତ ୱେଷ୍ଟ ଇଣ୍ଡିଜ୍ ଟିମକୁ ପରାସ୍ତ କରି ବିଶ୍ୱକପରେ ନିଜ ଉପସ୍ଥିତିକୁ ଜାହିର କରିଥିଲା ଭାରତ । ଏସବୁ ହୋଇଥିଲା କେବଳ ୟଶପାଲଙ୍କ ପାଇଁ । ଯିଏ ମଙ୍ଗଳବାର ଦିନ ମାତ୍ର ୬୬ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି ।

 

୧୯୮୩ ଓ୍ୱର୍ଲଡ କପ୍ ଅଭିଯାନରେ ଭାରତକୁ ପ୍ରଥମ ମ୍ୟାଚରେ ଲଗାତାର ଦୁଇ ଥରର ବିଶ୍ୱ ଚାମ୍ପିଅନ ଓ୍ୱେଷ୍ଟଇଣ୍ଡିଜ୍ର ସାମ୍ନା କରିବାକୁ ପଡ଼ିଥିଲା ।  ଦୁଇଟି ବିଶ୍ୱ କପରେ ଖରାପ ପ୍ରଦର୍ଶନ ହେତୁ  ଭାରତୀୟ ଟିମକୁ ଓ୍ୱେଷ୍ଟଇଣ୍ଡିଜ୍  ଗୁରୁତ୍ୱ ଦେଉନଥିଲା । ଯେମିତି ଦିନେ ଭାରତୀୟ ଟିମ୍ ସାମ୍ନାରେ ୧୯୯୬ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଟିମ୍ ଥିଲା । ସେମିତି ୱେଷ୍ଟଇଣ୍ଡିଜ୍ ଟିମ୍ ଖେଳ ଆରମ୍ଭ ପୂର୍ବରୁ ହିଁ ମ୍ୟାଚ୍ ସେମାନଙ୍କ ପକେଟରେ ବୋଲି ଭାବିନେଇଥିଲା । ଅବଶ୍ୟ ଏଥିପାଇଁ ଭାରତର ଖରାପ ରେକର୍ଡ ମଧ୍ୟ ଦାୟି ଥିଲା । କିନ୍ତୁ ସେଇ ଗୋଟିଏ ମ୍ୟାଚ୍ ସବୁକିଛି ବଦଳାଇବାକୁ ଯାଉଥିଲା । ସେଇ ଗୋଟିଏ ମ୍ୟାଚ୍ ରୁ ଜନ୍ମ ନେଇଥିଲା ଆଉ ଗୋଟିଏ କ୍ରିକେଟ୍ ସୁପର ପାୱାର ।

 

ଭାରତକୁ ଦୁର୍ବଳ ଭାବୁଥିବା କାରିବିୟାନ ଟିମ୍  ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ୱେଷ୍ଟ ଇଣ୍ଡିଜର  ନିଷ୍ପତ୍ତି ପ୍ରାୟ ଠିକ୍ ପ୍ରମାଣିତ ହେବାକୁ ଲାଗିଲା । ୭୬ ରନରେ ତିନୋଟି ୱିକେଟ୍ ହରାଇ ଭାରତୀୟ ଟିମ୍ ବିପର୍ଯ୍ୟୟ ଆଡକୁ ମୁହାଁଉଥିବା ବେଳେ ପଡିଆକୁ ଆସିଥିଲେ ୟଶପାଲ । ତା’ପରର କଥା ଥିଲା କ୍ରିକେଟ୍ ଇତିହାସର କାହାଣୀ । ଜଣେ ବ୍ୟାଟସମ୍ୟାନଙ୍କ ୱେଷ୍ଟ ଇଣ୍ଡିଜର ଶକ୍ତିଶାଳୀ ପେସ ବୋଲିଂ ଆଗରେ ହିମାଳୟ ଭଳି ଛିଡା ହେବାର କାହାଣୀ । ଏମିତି ବି କୁହାଯାଇପାରେ ରାହୁଲ ‘ୱାଲ’ ଦ୍ରାଭିଡଙ୍କ ଆଗମନ ପୂର୍ବରୁ ୟଶପାଲ ୱାଲ୍ ବା କାନ୍ଥ ଭଳି ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲରଙ୍କୁ ନିଡର ଭାବେ ସାମ୍ନା କରିଥିଲେ । ୧୪୧ ରନ୍ ପର୍ଯ୍ୟନ୍ତ ଅଧା ଟିମ୍ ପାଭିଲିୟନ ଫେରି ସାରିଥିଲେ, କିନ୍ତୁ ଧୈର୍ଯ୍ୟହରା ହୋଇନଥିଲେ ୟଶପାଲ ।

ମାଂଚେଷ୍ଟରର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ୟଶପାଲ ଶର୍ମା ୧୨୦ ବଲ୍ ର ସାମ୍ନା କରି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ । ସେ କେବଳ ଷ୍ଟ୍ରୋକ୍ ର ସାହାରା ନେଇନଥିଲେ ବରଂ ଓ୍ୱିକେଟ୍ ମଧ୍ୟରେ ଦୌଡି ରନ୍ କରିବାକୁ ଖୁବ୍ ଚେଷ୍ଟା କରିଥିଲେ ।  ସେ ଏକା ୮୯ ରନ୍ କରିଥିଲେ । ଯାହାପରେ ଭାରତର ସ୍କୋର ୬୦ ଓଭରରେ ୨୬୨ ରନ୍ କରି ୮ ଓ୍ୱିକେଟ୍ ହରାଇଥିଲେ ।  ୟଶପାଲଙ୍କ ସେହି ସାନଦାର ପର୍ଫମାନ୍ସରେ ଭାରତ ଗ୍ରୁପ୍ ବି’ର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ୩୪ ରନରେ ମାତ୍ ଦେଇଥିଲା ।

ୟଶପାଲ ଶର୍ମା ସେହି ଓ୍ୱର୍ଲଡ କପରେ ଅଷ୍ଟ୍ରେଲିୟା ବିପକ୍ଷରେ ଖେଳି  ୪୦ ବଲରେ ୪୦ ରନ୍ କରିଥିଲେ ।  ସେହି ମ୍ୟାଚରେ ଏହା କେବଳ ଭାରତର ସର୍ବାଧିକ ସ୍କୋର ନଥିଲା ବରଂ ଅଷ୍ଟ୍ରେଲିୟାର କୌଣସି ଖେଳାଳି ମଧ୍ୟ ଏତେ ରନ୍ କରିନଥିଲେ । କେବଳ ସେତିକି ନୁହେଁ ବରଂ ୟଶପାଲ ୟାଦବ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।  ସେ ସର୍ବାଧିକ ୬୧ ରନ୍ କରିଥିଲେ ।  ଭାରତ ସେହିଥର ୬ ଓ୍ୱିକେଟରେ ଜିତି ଫାଇନାଲରେ ପହଂଚିଥିଲା । ଏହାପରେ ଯାହା ହେଲା ତାହା ଇତିହାସ ହୋଇଗଲା ।

ଭାରତୀୟ ଟିମ୍ ଓ୍ୱେଷ୍ଟଇଣ୍ଡିଜର ଲଗାତାର ତୃତୀୟ ଓ୍ୱର୍ଲଡ କପ୍  ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ୧୯୮୩ ଓ୍ୱର୍ଲଡ କପରେ କପିଲ ଦେବ ଏବଂ ୟଶପାଲ ଯାଦବ ସର୍ବାଧିକ ରନ୍ କରିଥିଲେ ।

 

Leave a Reply