ଶେଷଙ୍କ ସେଇ କେଇ ପଦ କଥା ନବୀନଙ୍କ ଆଖିରେ ଭରି ଦେଲା ଖୁସିର ଲୁହ

ରୋମ: ୪ବର୍ଷ ପରେ ପୁଣି ସେଇ ସ୍ମୃତି । ସେତେବେଳେ ସଂଘର୍ଷ ଭାବବିହ୍ବଳ କରିଥିଲା, ଆଉ ଆଜି ସଫଳତା ଆଖିରେ ଖୁସିର ଲୁହ ଆଣିଛି । ଏ କାହାଣୀ ନବୀନ ଓ ଶେଷ କିଶାନଙ୍କର । ସମ୍ବଲପୁର ନାକଟିଦେଉଳର ଶେଷ କିଶାନ । ଖୁବ୍ କମ୍ ବୟସରୁ ହିଁ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠି ଯାଇଥିଲା, ବାଟ ଓଗାଳିଥିଲା ଗରିବୀ । ହେଲେ ସଫଳତାର ଜିଦ୍ ଶେଷଙ୍କୁ ଶ୍ରେଷ୍ଠ କରିଛି । ଆଉ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି । ରୋମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାବକ କହିବା ବେଳେ କୋହ ସମ୍ଭାଳି ପାରିନଥିଲେ ନବୀନ ।

ପୂର୍ବରୁ ନଲେଜ ହବ୍ ଲେକଚରରେ ଶେଷ କିଷାନ କହିଥିଲେ ସଂଘର୍ଷର କାହାଣୀ । ଗରିବୀରୁ ଗବେଷଣା, ସଂଘର୍ଷରୁ ଶ୍ରେଷ୍ଠ । ଦାରିଦ୍ର୍ୟ ତାଡ଼ନା ଭିତରେ ଜୀବନ ଯୁଦ୍ଧର କାହାଣୀ ଶୁଣି ସେଦିନ ନବୀନ ବି ଭାବବିହ୍ବଳ ହୋଇଯାଇଥିଲେ । ଆଉ ୪ବର୍ଷ ପରେ ଶେଷଙ୍କ କଥା ନବୀନଙ୍କ ଆଖିରେ ଲୁହ ଭରି ଦେଇଛି । ହେଲେ ଏଥର ଖୁସିର ଲୁହ, ସନ୍ତୋଷର ଲୁହ । ନିଜ ସଫଳତା ପାଇଁ ନବୀନଙ୍କୁ ଶ୍ରେୟ ଦେଇଛନ୍ତି ଶେଷ କିଶାନ । ଆଉ ତାଙ୍କର କେଇ ପଦ କଥା ନବୀନଙ୍କ ପରି ଶକ୍ତ ନେତାଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

ସମ୍ବଲପୁରରୁ ଜର୍ମାନ, ସହଜ ନଥିଲା ସଂଘର୍ଷ । ଶେଷଙ୍କ ସଫଳତା କାହାଣୀର ନାୟକ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପାମାଆ ଛେଉଣ୍ଡ ଶେଷଙ୍କ ପାଇଁ ନବୀନ ସାଜିଥିଲେ ପ୍ରେରଣାର ସ୍ରୋତ । ପ୍ରତିଭାକୁ ବଣମଲ୍ଲୀ ଭାବେ ମଉଳିବାକୁ ଦେଇନଥିଲେ ନବୀନ । ଶେଷଙ୍କୁ ଶ୍ରେଷ୍ଠ ହେବା ପାଇଁ ସୁଯୋଗ ଦେଲେ, ସହଯୋଗ କଲେ । ବିଦେଶରେ ଗବେଷଣା କରୁଛନ୍ତି ଶେଷ । ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବାର ସ୍ବପ୍ନ ଦେଖୁଛନ୍ତି । ତାଙ୍କ ଆଖିରେ ସ୍ବପ୍ନ ଭରିଥିବା ନବୀନଙ୍କୁ ଦେଇଛନ୍ତି ଶ୍ରେୟ ।

୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଥର ଭେଟିଥିଲେ କିଶାନ । ହାତରେ ନୋକିଆ ଫୋନ୍ ବଦଳରେ ନବୀନ ବଢାଇଥିଲେ ଆଇଫୋନ୍ । ଘର କରିବା ପାଇଁ ସହଯୋଗ ଯୋଗାଇଥିଲେ । ଏସବୁ ବଖାଣିବା ସହ ନବୀନଙ୍କୁ ନିଜ ଅଭିଭାବକ କହି ଭାବପ୍ରବଣ ହୋଇଥିଲେ ଶେଷ କିଶାନ । ଉଭୟଙ୍କ ଆଖି ଛଳଛଳ ହୋଇଯାଇଥିଲା ।

ଶେଷ ଓ ନବୀନଙ୍କ ଏହି ଭେଟରୁ ବିଶ୍ବ ଜାଣିଲା ନବୀନଙ୍କ ବଡ଼ ପଣ । ଗରିବ ଗଳିରୁ ବାହାରି ଜର୍ମାନରେ ଗବେଷଣା କରୁଛନ୍ତି ଶେଷ । ତାଙ୍କୁ ଦେଖିବା ପରେ ଫାଇଭ୍ ଟି ସଚିବ ଭଲମନ୍ଦ ପଚାରି ବୁଝିଥିଲେ । ଓଡ଼ିଶା ଆସି ରାଜ୍ୟବାସୀଙ୍କ ଋଣ ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି ଶେଷ କିଶାନ ।