ଦୁନିଆର ସବୁଠୁ ଅଲଗା ରେଲଓ୍ବେ ଷ୍ଟେସନ୍, ଯାହାର ନାହିଁ ନାଁ

ନୂଆଦିଲ୍ଲୀ: ଭାରତୀୟ ରେଳ ଏସିଆର ଦ୍ବିତୀୟ ଏବଂ ଦୁନିଆର ଚତୁର୍ଥ ବଡ଼ ରେଲଓ୍ବେ ଜଙ୍କସନ୍ । ଭାରତରେ ପ୍ରାୟ ୮ ହଜାର ରେଳ ଷ୍ଟେସନ୍ ଅଛି । ଏହି ଷ୍ଟେସନ୍ ଦେଇ ପ୍ରତିଦିନ ଅନେକ ଟ୍ରେନ୍ ଯାତାୟତ କରିଥାଏ । ସବୁ ରେଳ ଷ୍ଟେସନର ଅଲଗା ଅଲଗା ନାଁ ବି ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି ଏକ ରେଳ ଷ୍ଟେସନ୍ ଅଛି ଯେଉଁ ଷ୍ଟେସନର କୌଣସି ନାଁ ନାହିଁ ।

ଆଜ୍ଞା ହଁ । ଆଉ ଏପରି ଷ୍ଟେସନ୍ ଆମ ଭାରତରେ ହିଁ ରହିଛି । ଏହି ରେଲଓ୍ବେ ଷ୍ଟେସନ୍ ପଶ୍ଚିମବଙ୍ଗ ବର୍ଦ୍ଧମାନରୁ ୩୫ କିମି ଦୂରରେ ରହିଛି । ଏହି ଷ୍ଟେସନ ଦୁଇଟି ଗାଁ ରେନା ଏବଂ ରେନାଗଡ଼ ମଝିରେ ରହିଛି ।

କୁହାଯାଏ ପୂର୍ବରୁ ଏହି ଷ୍ଟେସନର ନାମ ରେନାଗଡ଼ ଥିଲା । ଷ୍ଟେସନର ନାମ ରେନାଗଡ଼ ଥିବାରୁ ରେନା ଗାଁର ଲୋକଙ୍କୁ ଏହା ପସନ୍ଦ ଆସି ନ ଥିଲା । ଷ୍ଟେସନ ନାଁକୁ ନେଇ ଦୁଇ ଗାଁ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା ।

ରେନା ଗାଁର ଲୋକେ କହିଥିଲେ ଏହି ଷ୍ଟେସନ ବିଲ୍ଡିଂ ରେନା ଗାଁ ଜମିରେ ହୋଇଛି ଏଥିପାଇଁ ରେନା ରହିବ । ଗାଁ ଲୋକେ ଏହାକୁ ନେଇ ଅଭିଯୋଗ କରିବାରୁ ରେଲଓ୍ବେ ଅଧିକାରୀ ଏହାର ନାଁ ହଟାଇ ଦେଇଥିଲେ । ୨୦୦୮ରେ ଷ୍ଟେସନ ତିଆରି ହେବା ପରଠୁ ହିଁ ଏହା ବିବାଦରେ ଥିଲା । ଗାଁ ଲୋକଙ୍କ ଝଗଡ଼ା କାରଣରୁ ଏହାକୁ ହଟାଇ ଦିଆଯାଇଛି । ଏଥିପାଇଁ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା ବି କରିବାକୁ ପଡ଼େ ।